କୋଲକାତାରେ ରେଷ୍ଟୁରାଣ୍ଟ ଜଳି ପାଉଁଶ, ଭୟଙ୍କର ନିଆଁ ଦେଖି ରାସ୍ତାକୁ ଦୌଡ଼ିଲେ ଲୋକେ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପାର୍କ ଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଏହି ରେଷ୍ଟୁରାଣ୍ଟରେ ମଙ୍ଗଳବାର କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଭୟଙ୍କର ନିଆଁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକେ ଭୟଭୀତ ହୋଇ ରାସ୍ତାକୁ ଦୌଡ଼ି ଆସିଥିଲେ ।

ନ୍ୟୁଜ୍‌ ଏଜେନ୍ସି ମୁତାବକ, ଅଧିକାରୀମାନେ କହିଛନ୍ତି ଯେ ନିଆଁକୁ ଆୟତ୍ତ କରିବା ପାଇଁ ୯ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିିଛି । ବିପର୍ଯ୍ୟୟ ପରିଚାଳନା ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଛି । ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଏହି ଘଟଣାରେ କୌଣସି ଜନହାନିର ଖବର ନ ଥିବାବେଳେ ସମ୍ପତ୍ତି କ୍ଷୟ ହୋଇଥିବାର ସୂଚନା ରହିଛି ।

ରିପୋର୍ଟ ମୁତାବକ, ପାର୍କ ଷ୍ଟ୍ରିଟ୍‌ରେ ଥିବା ଏକ ବହୁତଳ ବିଲ୍ଡିଂ ସଂଲଗ୍ନ ରେଷ୍ଟୁରାଣ୍ଟରେ କୌଣସି ମତେ ନିଆଁ ଲାଗିଯାଇଥିଲା । ଏହାପରେ ଉଚ୍ଚ ବିଲ୍ଡିଂରୁ କଳା ଧୂଆଁ ଏବଂ ନିଆଁ ବାହାରୁଥିବାର ଦେଖାଯାଇଥିଲା । ନିଆଁ ଦେଖି ଆଖପାଖର ଆବାସୀୟ ବିଲ୍ଡିଂ ଓ କାର୍ଯ୍ୟାଳୟର ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ ତୁରନ୍ତ ଘରୁ ବାହାରି ରାସ୍ତା ଉପରକୁ ଚାଲିଆସିଥିଲେ ।

ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିନେଇଛନ୍ତି । ବର୍ତ୍ତମାନ ମଧ୍ୟ ସେଠାରେ କାର୍ଯ୍ୟ ଚାଲିଛି । ନିଆଁ ଲିଭାଯିବା ପରେ କୁଲିଂ-ଅଫ୍‌ ପ୍ରକ୍ରିୟା ଚାଲୁ ରହିଛି । ଅଧିକାରୀଙ୍କ ମୁତାବକ, ଫରେନ୍‌ସିକ ଯାଞ୍ଚ ପରେ ନିଆଁ ଲାଗିବାର ପ୍ରକୃତ କାରଣ ବିଷୟରେ ଜଣାପଡ଼ିବ । ଏହା ସହିତ ରେଷ୍ଟୁରାଣ୍ଟ ମାଲିକ ସୁରକ୍ଷା ନିୟମଗୁଡ଼ିକୁ ପାଳନ କରିଥିଲେ କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ । ଅଧିକାରୀମାନେ କହିଛନ୍ତି ଯେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହିପରି ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଥିବା ସରାବଲୀ MIDCରେ ଏକ ଫ୍ୟାକ୍ଟ୍ରିରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିନେଇଛି । ନିଆଁ କେମିତି ଲାଗିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।

You might also like