ଉତ୍ତର ପ୍ରଦେଶ: ନୋଏଡାର ସେକ୍ଟର-୩୨ସ୍ଥିତ ଲଜିକ୍ସ ମଲ୍ରେ ଶୁକ୍ରବାର ବଡ଼ ଅଗ୍ନିକାଣ୍ଡ ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇ ୧୨ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଘନ ଧୂଆଁ ଯୋଗୁ କର୍ମଚାରୀମାନେ ନିଆଁ ଲିଭାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଘଟଣାସ୍ଥଳରୁ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବାର ଦେଖାଯାଉଛନ୍ତି । ମଲ୍ ଭିତରେ ଚାରିଆଡ଼େ ଧୂଆଁ ବ୍ୟାପିଛି । ଅନେକ ଦମକଳ ଗାଡ଼ି ଘଟଣାସ୍ଥଳରେ ରହି ନିଆଁ ଲିଭାଇବାରେ ଲାଗିଛନ୍ତି ।
କୁହାଯାଉଛି ଯେ ମଲ୍ରେ ନିଆଁ ଲାଗିବା ପରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ । ପୋଲିସ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏଭଳି ଧାଁ ଦୌଡ଼ ଭିତରେ ସମସ୍ତ ଲୋକଙ୍କୁ ଠିକ୍ ସମୟରେ ବାହାରକୁ ଅଣାଯାଇଥିଲା ।
ନିଆଁ ଲାଗିବା ପରେ ମଲ୍ ଭିତରେ ଚାରିଆଡେ ଧୂଆଁ ବ୍ୟାପିଯାଇଥିଲା । ବହୁ ସଂଖ୍ୟାରେ ଲୋକ ମଲ୍ ବାହାରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ବିଦ୍ୟୁତ୍ ଶର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା କୁହାଯାଉଛି ।
ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ଚୌବେ କହିଛନ୍ତି, ଶୁକ୍ରବାର ସକାଳେ ଲଜିକ୍ସ ସିଟି ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ କର୍ମଚାରୀମାନେ ମଲ୍ର ବିଭିନ୍ନ ସ୍ଥାନରେ ଲାଗିଥିବା କାଚଗୁଡ଼ିକୁ ଭାଙ୍ଗି ଧୂଆଁ ବାହାର କରିଛନ୍ତି ।