ମନାଲି: ଘରୋଇ ରିସୋର୍ଟରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
ହିମାଚଳ ପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମନାଲିରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଏକ ଘରୋଇ ରିସୋର୍ଟରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି । ଏହି ରିସୋର୍ଟ କାଠରେ ତିଆରି ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ବୋଲି କୁହାଯାଉଛି ।
ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରିସୋର୍ଟ ଧୁ ଧୁ ହୋଇ ଜଳୁଥିବାର ଦେଖାଯାଉଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଆଖପାଖର ପ୍ରପର୍ଟି ମଧ୍ୟ ନିଆଁ କବଳକୁ ଆସି ଯାଇଥିଲା । ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ସେମାନେ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।
ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ନାହିଁ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିଲା । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବାବେଳେ ଅଗ୍ନିକାଣ୍ଡରେ ରିସୋର୍ଟଟି ସମ୍ପୂର୍ଣ୍ଣ ରୂପେ ଜଳି ଛାରଖାର ହୋଇଯାଇଛି ।
ଏହି ଘଟଣା ଗତକାଲି ସନ୍ଧ୍ୟା ୬ଟାର ବୋଲି କୁହାଯାଉଛି । ନିଆଁ ଲାଗିବା ମାତ୍ରେ ଏଠାରେ ଥିବା ପର୍ଯ୍ୟଟକ ଏବଂ ରିସୋର୍ଟର କର୍ମଚାରୀମାନେ ତୁରନ୍ତ ବାହାରକୁ ଚାଲି ଆସିଥିଲେ । ଘଟଣାସ୍ଥଳରେ ଲୋକେ ଚିତ୍କାର କରିବାକୁ ଲାଗିଥିଲେ । ଏହି ରିସୋର୍ଟରେ ୪୫ଟି କୋଠରୀ ଥିଲା, ଯାହା ସମ୍ପୂର୍ଣ୍ଣ କାଠରେ ତିଆରି ହୋଇଥିଲା ।
ମନାଲି ଡିଏସପି କେଡି ଶର୍ମା କହିଛନ୍ତି, ପୋଲିସ ମାମଲାର ତଦନ୍ତ କରୁଛି । ତଦନ୍ତ ପରେ ହିଁ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ ।