ମୁମ୍ବାଇରେ ୬୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ବାଲ୍‌କୋନୀରୁ ଖସି ଜଣେ ମୃତ, ନିଆଁ ଲିଭାଇବାରେ ନିୟୋଜିତ ୧୪ଟି ଦମକଳ ଗାଡ଼ି

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଏକ ୬୦ ମହଲା ବିଶିଷ୍ଟ ଅଭିଗନା ପାର୍କ ବିଲ୍ଡିଂରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ୧୯ତମ ମହଲାରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ଧୂଆଁ ଦୃଶ୍ୟମାନ ହୋଇଥିଲା। ବିଲ୍ଡିଂରୁ ବଡ଼ ବଡ଼ ନିଆଁ ହୁଳା ମଧ୍ୟ ତଳକୁ ଖସୁଥିଲା। ତେବେ କିଛି ଲୋକ ପ୍ରାଣ ବିକଳରେ ବାହାରକୁ ବାହାରି ଆସିଥିଲେ। କିନ୍ତୁ ଜଣେ ବ୍ୟକ୍ତି ବାଲ୍‌କୋନୀରୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ କିନ୍ତୁ ନିଆଁକୁ ଆୟତ୍ତ କରି ନେଇଛନ୍ତି। ଯେଉଁ ସମୟରେ ନିଆଁ ଲାଗିଥିଲା, ଖବର ପାଇ ସଙ୍ଗେ ସଙ୍ଗେ ୧୪ଟି ଦମକଳ ଗାଡ଼ି ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ମଧ୍ୟ ଅଗ୍ନିଶମ ବାହିନୀ ସେଠାରେ ଉପସ୍ଥିତ ଅଛନ୍ତି, ଯେପରି ଆଉଥରେ ନିଆଁ ନ ଲାଗିବ।

ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡର ଏକ ଛାତିଥରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି କି, ନିଜକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ବାଲ୍‌କୋନୀରୁ ଲଟକି ରହିଛନ୍ତି। ହେଲେ ତାଙ୍କର ବାଲାନ୍ସ ବିଗିଡ଼ି ଯିବାରୁ ସେ ତଳକୁ ଖସି ପଡ଼ୁଛନ୍ତି। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଛି। ମୃତ ବ୍ୟକ୍ତିଙ୍କ ନାମ ଅରୁଣ ତିଓ୍ଵାରୀ ବୋଲି କୁହାଯାଉଛି, ଯାହାଙ୍କ ବୟସ ୩୦ ବର୍ଷ ଥିଲା।

ଏହି ଘଟଣାକୁ ନେଇ ମୁମ୍ବାଇର ମହାପୌର କିଶୋରୀ ପେଡନେକର କହିଛନ୍ତି କି, ନିଆଁ ଲାଗିବାର ଖବର ପାଇବା କ୍ଷଣି ତୁରନ୍ତ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ଲୋକ ନିଜ ଜୀବନ ବଞ୍ଚେଇବା ପାଇଁ ବାହାରକୁ ବାହାରି ଯାଇଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯେଉଁ ବ୍ୟକ୍ତି ବାଲ୍‌କୋନୀରୁ କୁଦି ପଡ଼ିଥିଲେ, ସେ ଭୟଭୀତ ହୋଇପଡ଼ି ହିଁ କୁଦି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାରେ ଦମକଳ ବାହିନୀ ସଫଳ ହୋଇପାରି ନାହାନ୍ତି, ଏହା କଥା ଆମେ କହି ପାରିବା ନାହିଁ। ଭୁଲ୍‌ ସୂଚନା ପ୍ରଚାର କରନ୍ତୁ ନାହିଁ।

video courtesy: WaQt Ke Halaat

Leave A Reply

Your email address will not be published.