ତାମିଲନାଡୁ : ବାଣ କାରଖାନାରେ ବିସ୍ଫୋରଣ, ୬ ଶ୍ରମିକ ମୃତ

ତାମିଲନାଡୁ ବିରୁଧନଗର ଜିଲ୍ଲାରେ ଥିବା ବାଣ ତିଆରି କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୬ ଜଣଙ୍କ ଶ୍ରମିକଙ୍କ ଜୀବନ ଚାଲିଯାଇଛି । କେମିକାଲ୍ ମିଶ୍ରଣ ପ୍ରକ୍ରିୟା ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ଏକ ରୁମ୍ ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଛି ।

ବାଣ କାରଖାନା ଅପ୍ପାନାୟାକନପଟ୍ଟୀ ପଞ୍ଚାୟତ ବୋମ୍ମୟପୁରମ ଗାଁ ନିକଟରେ ରହିଛି । ଏହାକୁ ବାଲାଜୀ ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଥିଲେ । ବିସ୍ଫୋରଣ ସମୟରେ ଶ୍ରମିକ ମାନେ ପ୍ରତିଦିନ ଭଳି କାମ କରୁଥିଲେ । ତେବେ ବିସ୍ଫୋରଣରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଆହତ ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ମୃତକଙ୍କ ପରିଚୟ ମିଳିଛି ।

ସୂଚନାଯୋଗ୍ୟ, ନିକଟରେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଏକ ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ବୁଧବାର ରାତିରେ ଘଟିଥିବା ଏହି ବିସ୍ଫୋରଣରେ ୬ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ ଏହାର ପ୍ରଚଣ୍ଡ ଶବ୍ଦରେ ଆଖପାଖ ଗାଁ ଥରି ଉଠିଥିଲା । ପ୍ଲାଣ୍ଟରୁ ପ୍ରଥମେ ବଡ଼ ନିଆଁ ହୁଳା ଉପରକୁ ଉଠିଥିଲା ଏବଂ ଏହାପରେ ପ୍ରଚଣ୍ଡ ଶବ୍ଦ କରି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା ।

ରାତି ପ୍ରାୟ ୧୦ଟା ୧୫ରେ ତିରୁପତିର ପେନେପଲ୍ଲି ଅଞ୍ଚଳରେ ଏହି ଘଟଣା ଘଟିଥିଲା । ବିସ୍ଫୋରଣ ପ୍ରଭାବରେ ଆଖପାଖ ଘରଗୁଡ଼ିକର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା । ପ୍ଲାଣ୍ଟରେ ବଏଲର୍ ତ୍ରୁଟି ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିଲେ।

ଗୁଜରାଟର ସୁରଟର ହାଜିରା ଶିଳ୍ପାଞ୍ଚଳର ଥିବା ଏକ ଇସ୍ପାତ କାରଖାନାରେ ଏଭଳି ଅଘଟଣ ଘଟିଥିଲା । ୪ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଥିଲେ।

ସେହିପରି  ତାମିଲନାଡ଼ୁ ଡିଣ୍ଡିଗୁଲର ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା  । ଅଗ୍ନିକାଣ୍ଡରେ ୬ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ ଆହତ ହୋଇଥିଲେ  । ଗୁରୁବାର ରାତି ୧୦ଟା ସମୟରେ ତ୍ରିଚି ରୋଡସ୍ଥିତ ସିଟି ହସ୍ପପିଟାଲରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲାଯେ ଏହା ସଙ୍ଗେ ସଙ୍ଗେ ଉପର ମହଲାକୁ ବ୍ୟାପି ଯାଇଥିଲା ।