ମୁମ୍ବାଇ ନିକଟ ଲଜିଷ୍ଟିକ୍ସ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ସବୁ ଜଳି ଛାରଖାର

ମହାରାଷ୍ଟ୍ର ଠାଣେ ଜିଲ୍ଲାର ଭିଓ୍ୱଣ୍ଡି ସହରରେ ଥିବା ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପୂରା ଗୋଦାମ ଜଳି ପାଉଁଶ ହୋଇଯାଇଛି । ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଅଗ୍ନିଶମ ଅଧିକାରୀମାନେ ସୂଚନା ଦେଇଛନ୍ତି । ମୁମ୍ବାଇଠାରୁ ପାଖାପାଖି ୪୦ କିଲୋମିଟର ଦୂର ଏକ ଲଜିଷ୍ଟିକ୍ସ ଗୋଦାମରେ ନିଆଁ ଲାଗିବାର ଖବର ରହିଛି ।

ଘଟଣାସ୍ଥଳରେ ଭିଓ୍ୱଣ୍ଡି, କଲ୍ୟାଣ ଏବଂ ଠାଣେ ସହରରୁ ୬ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ରହିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚାଲିଛି । ମୁମ୍ବାଇ-ନାସିକ ରାଜପଥର ଓ୍ୱଲସିନ୍ଦ ଗାଁ ନିକଟରେ ଥିବା ଏହି ଗୋଦାମରେ ଆଜି ଦିନ ୨ଟା ୩୫ରେ ନିଆଁ ଲାଗିଥିଲା ।

ନଗର ନିଗମର ଅଗ୍ନିଶମ ନିୟନ୍ତ୍ରଣ କକ୍ଷର ଅଧିକାରୀ କହିଛନ୍ତି ଯେ ଭିଓ୍ୱଣ୍ଡିରୁ ଦୁଇଟି ଏବଂ ପାଖ କଲ୍ୟାଣ ଓ ମୁମ୍ବାଇରୁ କିଛି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ ।

ଏହି ଅଗ୍ନିକାଣ୍ଡରେ ଗୋଦାମରେ ଥିବା ସମସ୍ତ ଜିନିଷ ଜଳିପୋଡ଼ି ଛାରଖାର ହୋଇଯାଇଛି । ଏଠାରେ ବହୁ ପରିମାଣରେ ହାଇଡ୍ରୋଲିକ୍‌ ତେଲ, କପଡ଼ା, ପ୍ଲାଷ୍ଟିକ୍‌ ଜିନିଷ ଏବଂ ରାସାୟନିକ ପଦାର୍ଥ ରହିଥିଲା । ନିଆଁ ଏତେ ଭୟଙ୍କର ଭାବରେ ଲାଗିଛିି ଯେ ବହୁ ଦୂର ପର୍ଯ୍ୟନ୍ତ ଗୋଦାମରୁ କଳା ଧୂଆଁ ଉଠୁଥିବାର ଦେଖାଯାଉଛି । ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।