ଗ୍ରେଟର ନୋଏଡା ଛାତ୍ରୀବାସରେ ଅଗ୍ନିକାଣ୍ଡ, ୪୦ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଗ୍ରେଟର ନୋଏଡାରେ ଥିବା ଏକ ଛାତ୍ରୀବାସରେ ଲାଗିଛି ନିଆଁ । ଏହି ହଷ୍ଟେଲଟି ନଲେଜ୍ ପାର୍କ ପୋଲିସ ଷ୍ଟେସନ ଅଞ୍ଚଳରେ ରହିଛି ।  ଛାତ୍ରୀବାସରେ ଗତକାଲି ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଥିଲା। ଯାହା ଫଳରେ ସମଗ୍ର କ୍ୟାମ୍ପସ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ । ଫସି ରହିଥିବା ୪୦ଜଣ ଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଏହାପରେ ନିଆଁକୁ ଘଣ୍ଟାଏ ମଧ୍ୟରେ ନିୟନ୍ତ୍ରଣ କରାଯାଇଥିଲା ।

ଘଟଣା ସମୟରେ ହଷ୍ଟେଲରେ ପ୍ରାୟ ୧୬୦ ଜଣ ଛାତ୍ରୀ ଥିଲେ । ଏସି କମ୍ପ୍ରେସର ଫାଟିଯିବାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ଚୌବେ କହିଛନ୍ତି ଯେ ଗୁରୁବାର ସନ୍ଧ୍ୟା ପ୍ରାୟ ୫:୨୫ ସମୟରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଥିଲା । ଯାହା ପରେ ବିଭାଗୀୟ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ନିଆଁ ଲାଗିବା ଯୋଗୁଁ ହଷ୍ଟେଲରେ ଧୂଆଁ ହୋଇଯାଇଥିଲା । ଯାହା ଫଳରେ ସେଠାରେ ଉପସ୍ଥିତ ଝିଅମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଭିତରେ ଫସି ରହିଥିବା ୪୦ ଜଣ ଛାତ୍ରୀଙ୍କୁ ସିଢି ଦେଇ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯାଇଥିଲା ।

ହଷ୍ଟେଲର ଦ୍ୱିତୀୟ ମହଲାର ଏକ କୋଠରୀରେ ଲଗାଯାଇଥିବା ଏସି କମ୍ପ୍ରେସର ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଚୌବେ କହିଛନ୍ତି ଯେ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବାକୁ ଚେଷ୍ଟା କରୁଛି ।

Also read: ଖେଳୁ ଖେଳୁ ଚାଲିଗଲା ନାବାଳକର ଜୀବନ, ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ