ନୋଏଡା : ଘରେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲେ ୩ ଭାଇଭଉଣୀ

ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୮ରେ ଘରେ ନିଆଁ ଲାଗିବାରୁ ୩ ଭାଇଭଉଣୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏହି ଅଗ୍ନିକାଣ୍ଡରେ ମୃତ ପିଲାଙ୍କ ବାପା ଗୁରୁତର ହୋଇଛନ୍ତି । ମୃତ ପିଲାଙ୍କ ମଧ୍ୟରେ ୧୦ ଓ ୭ ବର୍ଷର ଦୁଇ ଝିଅ ଓ ୫ ବର୍ଷର ପୁଅ ବୋଲି ଜଣାପଡିଛି । ଘଟଣାଟି ଭୋର ୪ଟା ସମୟରେ ହୋଇଛି । ଆହତଙ୍କୁ ଦିଲ୍ଲୀ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ନିଆଁ କେମିତି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନି । ତେବେ ବ୍ୟାଟେରୀ ଚାର୍ଜରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

ଖବର ଅନୁଯାୟୀ, ନୋଏଡା ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିଛନ୍ତି, ଗତ ରାତିରେ ଏକ ଘରେ ୩ ଭାଉଭଉଣୀ ଖଟ ଉପରେ ଶୋଇଥିବା ବେଳେ ତଳେ ଚଟାଣରେ ବାପାମା ଶୋଇଥିଲେ । ବ୍ୟକ୍ତିଜଣକ ବ୍ୟାଟେରୀ ଅଟୋ ଚଳାଉଥିବାରୁ ସେ ଉକ୍ତ ରୁମରେ ବ୍ୟାଟେରି ଚାର୍ଜ ପାଇଁ ବସାଇଥିଲେ । ବ୍ୟାଟେରୀରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

ସୂଚନା ପାଇ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଘର ଭିତରୁ ବିଛଣା ଉପରୁ ୩ ଭାଉଭଉଣୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ । ନିଆଁରେ ପୋଡ଼ି ହୋଇ ବ୍ୟକ୍ତିଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବେଳେ ପୁରା ପରିବାର ଶୋଇଥିଲା । ତେଣୁ ପିଲାଙ୍କୁ ଉଦ୍ଧାର କରାଯିବା ସମ୍ଭବ ନଥିଲା । ଘର ପୋଡି ଛାରଖାର ହୋଇଯାଇଥିବା ଖବର ମିଳିଛି ।

You might also like