ଯୋଧପୁର: ଲୁନି ଷ୍ଟେସନରେ କୋଚରେ ଲାଗିଲା ଭୟଙ୍କର ନିଆଁ, ଗ୍ୟାସ୍ ସିଲିଣ୍ଡରରୁ ବିସ୍ଫୋରଣ ଆଶଙ୍କା

ଯୋଧପୁରର ଲୁନି ରେଲୱେ ଷ୍ଟେସନରେ ଏକ କ୍ୟାମ୍ପିଙ୍ଗ କୋଚରେ ଭୟଙ୍କର ନିଆଁ ଲାଗିଛି । ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି । କାରଣ, କୋଚ ଭିତରେ ଦୁଇଟି ଗ୍ୟାସ ସିଲିଣ୍ଡର ରହିଛି । ତେଣୁ ବିସ୍ଫୋରଣ ହେବା ନେଇ ଆଶଙ୍କା ଦେଖାଦେଇଛି ।

ଏହି କୋଚ୍ ରେଳ କର୍ମଚାରୀମାନଙ୍କର ଥିଲା, ଯେଉଁଠି ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ଖାଦ୍ୟ ପ୍ରସ୍ତୁତି ବେଳେ ଗ୍ୟାସ୍ ଲିକ୍ ହେବା କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ପୂରା କୋଚଟି ନିଆଁ କବଳକୁ ଆସିଯାଇଥିଲା ।

କୋଚରେ ନିଆଁ ଲାଗିବା ପରେ କର୍ମଚାରୀମାନେ ଭୟରେ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ ଏବଂ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।

ରେଲୱେ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ଯୋଧପୁର ଓ ଲୁନି ଷ୍ଟେସନ ମଧ୍ୟରେ ରେଳଧାରଣାରେ କାମ କରୁଛନ୍ତି, ଏହି କୋଚ୍ ସେମାନଙ୍କ ପାଇଁ ଥିଲା । ରେଳଗାଡ଼ି ସହିତ ଏହା ସଂଯୋଗ ନ ଥିଲା । ତେଣୁ ନିଆଁ ଲାଗିବା ଦ୍ୱାରା କୌଣସି ବଡ଼ ଦୁର୍ଘଟଣା ଘଟି ନ ଥିଲା । ତେବେ କୋଚରୁ ଗ୍ୟାସ୍ ସିଲିଣ୍ଡର ଦୁଇଟିକୁ ବାହାର କରାଯାଇ ପାରି ନାହିଁ । ଏଣୁ ବିସ୍ଫୋରଣର ଆଶଙ୍କା ଦେଖାଦେଇଛି ।

ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଖବର ପାଇ ଲୁନି ପୋଲିସ ପହଞ୍ଚି ସ୍ଥାନୀୟ ରେଳ କର୍ମଚାରୀଙ୍କ ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ଏହି ଘଟଣାରେ କେହି ଆହତ ହେବାର ସୂଚନା ନାହିଁ ।

You might also like