ହରିୟାଣା: ପାନିପତ୍‌ରେ ଗ୍ୟାସ୍‌ ସିଲିଣ୍ଡର ଲିକେଜ୍‌ରୁ ଘରେ ଲାଗିଗଲା ନିଆଁ; ଗୋଟିଏ ହିଁ ପରିବାରର ୬ ଜଣଙ୍କ ମୃତ୍ୟୁ

ହରିୟାଣାର ପାନିପତ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ତହସିଲ କ୍ୟାମ୍ପ୍‌ରେ ରାଧା ଫ୍ୟାକ୍ଟ୍ରି ନିକଟସ୍ଥ ଏକ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ କାରଣରୁ ନିଆଁ ଲାଗି ଯାଇଥିଲା। ସେହି ସମୟରେ ଘର ଭିତରେ ଏକ ଦମ୍ପତି ଏବଂ ସେମାନଙ୍କର ୪ ପିଲା ଥିଲେ। ଦୁର୍ଘଟଣାରେ ପୂରା ପରିବାର ନିଆଁ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

ଖବର ପାଇ ପୋଲିସ ପ୍ରଶାସନ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଧିକାରୀମାନେ ଛାତ ଦେଇ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରି ନେଇଛନ୍ତି। ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରି ଦେଇଛି। କାହାକୁ ବି ଘର ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ।

ସୂଚନା ଅନୁସାରେ, ବିଚପଡି ଗାଁର ଚତୁର୍ଥ ନମ୍ବର ଗଳିରେ ଏହି ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡରେ ଗୋଟିଏ ହିଁ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦମ୍ପତିଙ୍କ ସହ ସେମାନଙ୍କର ଚାରି ପୁଅଝିଅ ମଧ୍ୟ ଅଛନ୍ତି। ତେବେ ଗ୍ୟାସ ସିଲିଣ୍ଡରରେ ଯେତେ ବେଳେ ନିଆଁ ଲାଗିଥିଲା, ସେହି ସମୟରେ ପରିବାର ଖାଦ୍ୟ ତିଆରି ପାଇଁ ପ୍ରସ୍ତୁତ ହେଉଥିଲେ।

ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ଯେ ପରିବାର ଘର ଭିତରୁ ବାହାରିବା କିମ୍ବା ଜୋର୍‌ରେ ପାଟି କରିବା ପାଇଁ ସୁଯୋଗ ପାଇ ନ ଥିଲେ। ଯେଉଁ ସମୟରେ ପଡୋଶୀ ସେଠାରେ ପହଞ୍ଚି ଥିଲେ, ସେତେ ବେଳକୁ ସବୁକିଛି ଛାରଖାର୍‌ ହୋଇ ସାରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ତେବେ ପ୍ରାଥମିତ ତଦନ୍ତ ପରେ ସ୍ଥାନୀୟ ଏସପି ଶଶାଙ୍କ କୁମାର ସାୱନ କହିଛନ୍ତି ଯେ ସିଲିଣ୍ଡର ଫାଟିବା କାରଣରୁ ନୁହେଁ, ବରଂ ଲିକେଜ୍‌ କାରଣରୁ ଏହି ଦୁର୍ଘଟଣା ଘଟିଛି। ପୋଲିସ ପୂରା ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳରେ ଫୋରେନସିକ୍ ଟିମ୍‌କୁ ଡକାଯାଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.