ଫିରୋଜାବାଦ ଭୟାବହ ଅଗ୍ନିକାଣ୍ଡ : ଗୋଟିଏ ପରିବାରର ୬ ସଦସ୍ୟଙ୍କ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ପାଢମର ମୁଖ୍ୟ ବଜାରରେ ଅବସ୍ଥିତ ଏକ ଦୋକାନ ଏବଂ ଏହା ଉପରେ ନିର୍ମିତ ଏକ ଘରରେ ମଙ୍ଗଳବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ​ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଆଶିଷ ତିୱାରୀ କହିଛନ୍ତି, ଦୋକାନ ଉପରେ ନିର୍ମିତ ଘରେ ନିଆଁ ଲାଗିଯିବାରୁ
ଗୋଟିଏ ପରିବାରର ୯ ଜଣ ପୋଡି ହୋଇଯାଇଥିଲେ। ଏଥିମଧ୍ୟରୁ ତିନି ଜଣ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜସରାନା ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଏହି ଦୋକାନଟି ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଆସବାବପତ୍ର ଥିଲା। ତିୱାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ପରି ମନେହୁଏ। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଆଗ୍ରା, ମେନ୍ପୁରୀ, ଏଟା ଏବଂ ଫିରୋଜାବାଦରୁ ୧୮ ଟି ଅଗ୍ନି ଇଞ୍ଜିନ ନିୟୋଜିତ କରାଯାଇଥିଲା। ଏହା ବ୍ୟତୀତ ୧୨ ଟି ପୋଲିସ୍ ଷ୍ଟେସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ପ୍ରାୟ ଅଢେଇ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ବୋଲି ସେ କହିଛନ୍ତି। ପୋଲିସ ଅଧୀକ୍ଷକ (ଗ୍ରାମୀଣ) ରଣବିଜୟ ସିଂଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୭ .୩0 ସମୟରେ ଅଗ୍ନିକାଣ୍ଡ ଘଟି ଦୋକାନରୁ ଉପରେ ନିର୍ମିତ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା।

ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିରୋଜାବାଦର ଜସରାନା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ଲୋକଙ୍କ ଆତ୍ମାକୁ ଶାନ୍ତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ତୁରନ୍ତ ଦୁଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.