ଦିଲ୍ଲୀ ଦ୍ବାରିକାରେ ଭୟଙ୍କର ଅଗ୍ନିକାଣ୍ଡ, ୩୦ ଘର ସହିତ ୨ଟି ଫ୍ୟାକ୍ଟ୍ରି ପୋଡ଼ି ଛାରଖାର

ଦିଲ୍ଲୀର ଦ୍ବାରିକା ମୋଡ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୩୦ଟି ଝୁମ୍ପୁଡି ଘର, ୨ଟି ଫ୍ୟାକ୍ଟ୍ରି ଏବଂ ଆଖପାଖରେ ଥିବା ଦୋକାନ ପୋଡି ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ପାଇଁ ଅନେକ କ୍ଷୟକ୍ଷତି ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି ।
ଅଗ୍ନିଶମ ବାହିନୀ ଅଧିକାରୀଙ୍କ ମୁତାବକ, ଗତକାଲି ରାତି ପ୍ରାୟ ୨ଘଣ୍ଟା ୭ମିନିଟ୍ ସମୟରେ ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୧୧ଟି ଦମକଳ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିକାଣ୍ଡରେ ନିଆଁ ୧୨୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟାପିଥିବା ଖବର ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ।
ଦ୍ବାରିକା ଅଗ୍ନିକାଣ୍ଡ ଦୁର୍ଘଟଣାରେ କାହାରି ଜୀବନ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅଗ୍ନିଶମ ସେବା ଅଧିକାରୀ । କିନ୍ତୁ ଏଥିରେ ୩୦ଟି ଝୁମ୍ପୁଡି ସହିତ ୨ଟି ଅସ୍ଥାୟୀ ଆଇସକ୍ରିମ୍ ଫ୍ୟାକ୍ଟ୍ରି ଏବଂ କିଛି ଦୋକାନ ପୋଡି ଜଳି ପାଉଁଶ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ୧ ଘଣ୍ଟା ଲାଗିଥିଲା । ଘଟଣାରେ କେହି ହତାହତ ହୋଇନାହାନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ଏଜିସିଆର ଏନକ୍ଲେଭ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ଏକ ଚାଳଘରେ ନିଆଁ ଲାଗିଯାଇଥିଲା । ଏଥିରେ ୩ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିଲା । ନିଆଁ ଲାଗିବା ପରେ ଘଟଣା ସ୍ଥଳରେ ୩ରୁ ଅଧିକ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଧା ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
Also Read : ଆମେରିକାରେ ବିମାନରେ ଲାଗିଲା ନିଆଁ, ୧୭୮ ଯାତ୍ରୀ ସୁରକ୍ଷିତ ଉଦ୍ଧାର