ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ ଘଟିଥିବା ବେଳେ ଏଠାରେ ନିଆଁରେ ଜଳି ସବୁ କିଛି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ରାତି ୧୨ଟା ୪୫ରେ ସୂଚନା ଦିଆଯାଇଥିଲା । ଏହାପରେ ତୁରନ୍ତ ୧୨ଟି ଅଗ୍ନିଶମ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଥାନାରେ ରଖାଯାଇଥିବା ସମସ୍ତ ଫାଇଲ୍‌ ପତ୍ର ଏବଂ ଜିନିଷ ପୋଡ଼ି ପାଉଁଶ ହୋଇସାରିଥିଲା ।

ମିଳିଥିବା ସୂଚନା ଅନୁସାରେ, ନିଆଁ ଏତେ ଭୟଙ୍କର ଭାବରେ ଲାଗିଥିଲା ଯେ ପୂରା ଥାନା ଜଳି ଛାରଖାର ହୋଇଯାଇଛି । ଏଠାରେ ଥିବା ଆଲମିରା, ବାରାକ୍‌ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଛି । କହି ରଖୁଛୁ ଯେ କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ମେଟ୍ରୋର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି ।

ପୋଲିସ ଅନୁସାରେ, ଏହି ଘଟଣାରେ ଏ ପର୍ଯ୍ୟନ୍ତ କେହି ମୃତାହତ ହେବାର କୌଣସି ଖବର ନାହିଁ । ଏହିପରି ଅଗ୍ନିକାଣ୍ଡ କିପରି ଘଟିଲା, ତାହାର କାରଣ ମଧ୍ୟ ଜଣାପଡି ନାହିଁ । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏହା ଜଣାପଡିବ । ମାଲଖାନା ସମେତ ଥାନାର ଗୋଟିଏ ଭାଗ ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଛି । ଏଠାରେ ମକଦ୍ଦମା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ରଖାଯାଇଥିଲା । ସେଗୁଡ଼ିକ ପୋଡ଼ି ପାଉଁଶ ହୋଇଛି ।

ଦିଲ୍ଲୀ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପାଖାପାଖି ଦେଢ଼ ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରି ନିଆଯାଇଥିଲା । ଏହାପରେ କୁଲିଙ୍ଗ୍‌ ଅପରେସନ ଆରମ୍ଭ କରାଯାଇଥିଲା ।

ସୂଚନାଥାଉ କି, ଏବେ ନିକଟରେ ପୂର୍ବ ଦିଲ୍ଲୀର ବିବେକ ବିହାରରେ ଥିବା ଏକ ବେବି କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୭ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ଲାଇସେନ୍ସ ରଦ୍ଦ ହେବା ସତ୍ତ୍ୱେ ଏହି ବେବି କେୟାର ସେଣ୍ଟର ଚାଲିଥିଲା ।

You might also like