ପୁଣେ ମେଟ୍ରୋ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ୱେଲ୍ଡିଂ କାମ ବେଳେ ଲାଗିଲା ନିଆଁ

ପୁଣେର ମଣ୍ଡଇ ମେଟ୍ରୋ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ରବିବାର ରାତି ପ୍ରାୟ ୧୨ଟାରେ ଏଠାରେ ନିଆଁ ଲାଗିଥିବା ସୂଚନା ରହିଛି । ତେବେ ଦମକଳ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରି ନେଇଛନ୍ତି । ସୌଭାଗବଶତଃ, ଷ୍ଟେସନରେ ନିଆଁ ଲାଗିବା ସମୟରେ ମେଟ୍ରୋ ସେବା ବନ୍ଦ ଥିଲା । ତେଣୁ ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ ।

ସୂଚନା ମୁତାବକ, ଷ୍ଟେସନର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଫୋମ୍ ମାଟେରିଆଲରେ ଅଚାନକ୍ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଚାରିଆଡ଼େ ଧୂଆଁ ବ୍ୟାପିଯାଇଥିଲା ଏବଂ ବହୁ ଉପରକୁ ଧୂଆଁ ଉଠୁଥିବାର ମଧ୍ୟ ଦେଖାଯାଇଥିଲା ।

ଖବର ପାଇ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଆଶଙ୍କା କରାଯାଉଛି ଯେ ୱେଲ୍ଡିଂ କାମ ସମୟରେ ନିଆଁ ଲାଗିଛି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ମୁରଲୀଧର ମୋହୋଲ ‘ଏକ୍ସ’ ମିଡିଆରେ ପୋଷ୍ଟ କରି ମଣ୍ଡଇ ମେଟ୍ରୋ ଷ୍ଟେସନ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି । ସେପଟେ ମେଟ୍ରୋ ପ୍ରଶାସନ କହିଛି କି, ଏହି ଘଟଣା ଦ୍ୱାରା ମେଟ୍ରୋ ସେବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।