ନୂଆଦିଲ୍ଲୀରୁ ବିହାର ଯାଉଥିବା ଟ୍ରେନରେ ଲାଗିଲା ନିଆଁ । ନୂଆଦିଲ୍ଲୀର ଆନନ୍ଦ ବିହାରରୁ ବିହାରର ସୀତାମଢି ଯାଉଥିବା ସ୍ପେଶାଲ ଟ୍ରେନ ସଂଖ୍ୟା ୦୪୦୨୨ରେ ଗୌତମ ସ୍ଥାନ ଷ୍ଟେସନ ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଖବର ଶୁଣିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଏହାପରେ ଟ୍ରେନକୁ ତୁରନ୍ତ ଷ୍ଟେସନରେ ଅଟକାଯାଇଥିଲା । ରେଳ କର୍ମଚାରୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ ।
ଏହି ସମୟରେ ଟ୍ରେନର ଅନେକ ବଗିରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ଟ୍ରେନରୁ ନିଆଁ ଲିଭାଇ ଏହାକୁ ଛପରା ଜଙ୍କସନକୁ ପଠାଯାଇଥିଲା । ଛପରାରେ ପହଞ୍ଚିବା ପରେ ଆର୍ପିଏଫ୍ ଏବଂ ବିଦ୍ୟୁତ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରେନକୁ ଯାଞ୍ଚ କରିଥିଲେ । ଟ୍ରେନ ପାଖାପାଖି ୨୯ ମିନିଟ୍ ଯାଏ ଛପରାରେ ଛିଡ଼ା ରହିଥିଲା । ଏହି ଘଟଣା ବଲିଆ-ଛପରା ରେଳ ଡିଭିଜନରେ ଘଟିଛି ।
ଛପରା ଜଙ୍କସନର ଆର୍ପିଏଫ୍ ପୋଷ୍ଟର ଇନ୍ସପେକ୍ଟର ମୁକେଶ କୁମାର ସିଂ କହିଛନ୍ତି, ଗୌତମ ସ୍ଥାନ ନିକଟରେ ଟ୍ରେନର ଦୁଇଟି କୋଚ୍ ଜି-୨ ଏବଂ ଜି-୩ ମଧ୍ୟରେ ସର୍କିଟ ବୋର୍ଡରେ କୌଣସି ଯାନ୍ତ୍ରିକ ତ୍ରୁଟି ହେତୁ ନିଆଁ ଲାଗିଯାଇଥିଲା । ଏହାକୁ ରେଳ କର୍ମଚାରୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଆୟତ୍ତ କରିଛନ୍ତି । ଏହି ଘଟଣାର ଯାଞ୍ଚ ରିପୋର୍ଟ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯିବ ।