ଦିଲ୍ଲୀର ସୋନିଆ ବିହାର ଅଞ୍ଚଳରେ ଏକ ବାଣ ଗୋଦାମରେ ନିଆଁ ଲାଗି ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଆଜି ଭୋର ୪ଟାରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫ୍ଏସ୍) ଅଧିକାରୀଙ୍କ ଅନୁସାରେ, ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ପାଞ୍ଚଟି ଦମକଳ ଗାଡ଼ି ପହଞ୍ଚିଥିଲା । ଦୁଇ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ପୋଲିସ କହିଛି ଯେ କୋଠରୀ ଭିତରୁ ଜଣେ ବ୍ୟକ୍ତିଙ୍କ ଜଳାପୋଡ଼ା ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ବୋଧହୁଏ ଗୋଦାମର ଦେଖାଶୁଣା କରୁଥିଲେ ଏବଂ ଘଟଣା ଘଟିବା ସମୟରେ ସେ ପରିସରରେ ଶୋଇଥିଲେ ।
ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ୨୦୦ ବର୍ଗ ଗଜ ପ୍ଲଟର ମାଲିକ ହେଉଛନ୍ତି କୃଷ୍ଣ । ସେ ୱାଜିରାବାଦର ଜାଭେଦଙ୍କୁ ଏହି ଘର ଭଡାରେ ଦେଇଥିବା ଯାଞ୍ଚରୁ ଜଣାପଡିଛି । ଏଠାରେ ଏକ କୋଠରୀରେ କିଛି ବାଣ ରଖାଯାଇଥିଲା । ଜାଭେଦ୍ ସେହି ପରିସରକୁ ବାଣ ରଖିବା ପାଇଁ ବ୍ୟବହାର କରୁଥିଲେ ।
ଅଧିକାରୀମାନେ ସନ୍ଦେହ କରି କହିଛନ୍ତି, ଗୋଦାମ ଘର ବେଆଇନ ଭାବେ ଚାଲୁଥିଲା । ଏ ନେଇ ସମ୍ବନ୍ଧିତ ଧାରାରେ ମାମଲା ମଧ୍ୟ ରୁଜୁ ହୋଇଛି । ଜାଭେଦଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।
କହି ରଖୁଛୁ, ଏହିପରି ଦିନକ ପୂର୍ବରୁ ମଧ୍ୟ ତାମିଲନାଡୁର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା । ଏଥିରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।