ମହାକୁମ୍ଭ ମେଳା ଅଗ୍ନିକାଣ୍ଡ : ଜଳିଗଲା ୧୮୦ କଟେଜ, ୫ ବାଇକ୍ ସହିତ ଲକ୍ଷାଧିକ ଟଙ୍କା

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି ପବିତ୍ର ମହାକୁମ୍ଭ ମେଳା । ଏଠାକୁ ଦେଶ ବିଦେଶରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ହେଲେ ରବିବାର ଦିନ ଅପରାହ୍ନ ୪ଟାରେ ଲାଗିଥିବା ନିଆଁ ଯୋଗୁଁ ସମସ୍ତେ ଭୟଭୀତ ହୋଇପଡିଥିଲେ । ରବିବାର ପ୍ରୟାଗରାଜର ସେକ୍ଟର-୧୯ ଅଖିଳ ଭାରତୀୟ ଧର୍ମ ସଂଘ ଗୀତା ପ୍ରେସ୍ ଗୋରଖପୁର କ୍ୟାମ୍ପରେ ଲାଗିଲା ନିଆଁ । ନିଆଁ ଏତେ ଭୟାବହ ହେଲା ଯେ କ୍ୟାମ୍ପରୁ ଚାରିଆଡ଼େ ଖେଳିହୋଇଗଲା । ଅଗ୍ନିକାଣ୍ଡ ଯୋଗୁଁ ପାଖାପାଖି ୧୮୦ କଟେଜ ଜଳିଯାଇଛି ।
ରବିବାର ଅପରାହ୍ନ ୪ଟା ବେଳେ ମେଳାରେ ନିଆଁ ଲାଗିବା ଯୋଗୁଁ ଭୟଭୀତ ହୋଇପଡିଥିଲେ ଶ୍ରଦ୍ଧାଳୁ । ଶାସ୍ତ୍ରୀ ବ୍ରିଜ୍ ଏବଂ ରେଲୱେ ବ୍ରିଜ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ନିଆଁ ଲାଗିଥିଲା । ଗୀତା ପ୍ରେସ ଗୋରଖପୁର ଶିବିରରେ ନିଆଁ ଜଳାଯାଇଥିଲା, ଫଳରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ନିଆଁ ଚାରିଆଡେ ବ୍ୟାପିଥିଲା । ୧୮୦ କଟେଜ ଜଳିପୋଡି ପାଉଁଶ ହୋଇଯାଇଥିଲା । ୫ଟି ବାଇକ ସହିତ ୫ ଲକ୍ଷ ଟଙ୍କା ମଧ୍ୟ ପୋଡି ଯାଇଛି ।
ତେବେ ଗୋଟିଏ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ୧୦ରୁ ଅଧିକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ସବୁଠାରୁ ଆଶ୍ବସ୍ତିକର କଥା ହେଲା କି, ଏହି ଅଗ୍ନିକାଣ୍ଡରେ କାହାର ଜୀବନ ହାନି ହୋଇନାହିଁ । କେବଳ ଦୁଇ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ନିଆଁ ଲାଗିବା ଯୋଗୁଁ କୋଟି କୋଟି ଟଙ୍କାର ଜିନିଷ ଜଳିପୋଡି ଯାଉଛି ।
ଘଟଣା ବିଷୟରେ ଜାଣିବା ପରେ ପ୍ରୟାଗରାଜରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଗ୍ନିକାଣ୍ଡ ସଂପର୍କରେ ଯୋଗୀଙ୍କ ସହ କଥା ହୋଇଥିଲେ । ତେବେ ଖୁବ୍ଶୀଘ୍ର ଅଗ୍ନିଶମ ବାହିନୀ ଓ ଏନ୍ଡିଆରଏଫ୍ ଘଟଣାସ୍ଥଳରେ ପହଞ୍ଚିବାରୁ ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇଥିଲା । ପ୍ରାୟ ୧ ଘଣ୍ଟା ମଧ୍ୟରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଗୁଜବ ଉପରେ ଧ୍ୟାନ ନ ଦେବାକୁ ଲୋକଙ୍କୁ ନିବେଦନ କରିଛି ।
ମହାକୁମ୍ଭ ମେଳାରେ ଘଟିଥିବା ଏହି ଅଘଟଣ ପରେ ସମାଜବାଦୀ ପାର୍ଟି ଏବଂ ଅଖିଳେଶ୍ ଯାଦବ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।
Also Read : ମହାକୁମ୍ଭରେ ୧ କୋଟି ୬୦ ଲକ୍ଷ ସାଧୁଙ୍କ ଭିତରେ ବାରି ହୋଇପଡ଼ୁଛନ୍ତି ଏହି ଆଇଆଇଟି ବାବା