‘ଚା’ ବିକାଳିଙ୍କ ଯୋଗୁ ଘଟିଲା ଜଲଗାଁଓ ରେଳ ଦୁର୍ଘଟଣା’: ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର

ଚା’ ବିକାଳିଙ୍କ ଯୋଗୁ ଘଟିଗଲା ଏତେ ବଡ଼ ରେଳ ଦୁର୍ଘଟଣା । ମହାରାଷ୍ଟ୍ରର ଜଲଗାଁଓରେ ବୁଧବାର ସନ୍ଧ୍ୟାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଚାଲିଯାଇଛି ୧୩ ଜଣଙ୍କ ଜୀବନ । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ବିଜୁଳି ବେଗରେ ବ୍ୟାପିଯାଇଥିଲା । ଯାହାଫଳରେ ଟ୍ରେନରେ ଯାତ୍ରା କରୁଥିବା କିଛି ଲୋକ ଏତେ ଡରିଯାଇଥିଲେ ସେ ସେମାନେ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ । ଆଉ ଏହାପରେ ଦ୍ଵିତୀୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବେ ବଡ଼ ଖୁଲାସା କରିଛନ୍ତି । ଅଜିତ ପାୱାର କହିଛନ୍ତି, ପୁଷ୍ପକ ଏକ୍ସପ୍ରେସ୍ ଭିତରେ ଜଣେ ଚା’ ବିକାଳି ଟ୍ରେନରେ ନିଆଁ ଲାଗିବା ନେଇ ଗୁଜବ ପ୍ରଚାରିତ କରିଥିଲେ । ଯାହାର ଫଳାଫଳ ହେଉଛି ଜଲଗାଁଓ ଟ୍ରେନ୍ ଦୁର୍ଘଟଣା । ଗୁଜବ ଯୋଗୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ କିଛି ଯାତ୍ରୀ ଟ୍ରେନରୁ ଡେଇଁ ପଡ଼ିଥିଲେ ।

ପାୱାର କହିଛନ୍ତି ଯେ ପ୍ୟାଣ୍ଟ୍ରିରୁ ଜଣେ ଚା’ ବିକାଳି ଜୋରରେ ଚିତ୍କାର କରି କୋଚରେ ନିଆଁ ଲାଗିଥିବାର କହିଥିଲେ । ଉତ୍ତର ପ୍ରଦେଶର ଦୁଇ ଜଣ ଯାତ୍ରୀ ପ୍ରଥମେ ଏହା ଶୁଣି ଅନ୍ୟ ଲୋକମାନଙ୍କୁ ଭୁଲ୍ ସୂଚନା ଦେଇଥିଲେ । ଏହି ଖବରକୁ ନେଇ ପାଖ କୋଚଗୁଡ଼ିକରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । କିଛି ଯାତ୍ରୀ ନିଜକୁ ରକ୍ଷା କରିବାକୁ ଯାଇ ଟ୍ରେନର ଫାଟକରୁ ଡେଇଁ ପଡ଼ିଥିଲେ ।

ଟ୍ରେନର ବେଗ ଅଧିକ ଥିବାରୁ ଜଣେ ଯାତ୍ରୀ ଏହି ସମୟରେ ଜରୁରୀକାଳୀନ ଚେନ୍ ଟାଣି ଦେଇଥିଲେ । ଅଜିତ ପାୱାର କହିଛନ୍ତି କି, ଟ୍ରେନ ଅଟକିବା ପରେ ଲୋକମାନେ ଓହ୍ଲାଇବାକୁ ଲାଗିଥିଲେ । ଏହି ସମୟରେ ପାଖ ରେଳଧାରଣାରେ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ ସଂସ୍ପର୍ଶରେ ଏହି ଲୋକମାନେ ଆସିଯାଇଥିଲେ ।

ସେଣ୍ଟ୍ରାଲ ସର୍କଲ ରେଲୱେ ସେଫ୍ଟି କମିଶନର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଦେଢ ଲକ୍ଷ ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

You might also like