ଦିଲ୍ଲୀ: ‘ବର୍ଗର କିଙ୍ଗ୍’ ଆଉଟ୍ଲେଟ ଭିତରେ ଆଖିବୁଜା ଗୁଳିମାଡ଼, ଜଣେ ମୃତ

ପଶ୍ଚିମ ଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳରେ ଥିବା ‘ବର୍ଗର କିଙ୍ଗ୍’ ଆଉଟ୍ଲେଟ୍ ଭିତରେ ଆଖିବୁଜା ଗୁଳିମାଡ଼ ହୋଇଛି । ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ପାଖାପାଖି ୧୦ ରାଉଣ୍ଡ୍ ଫାୟାରିଂ ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଘଟଣା ପରେ ସ୍ଥାନୀୟ ପୋଲିସ ଅଧିକାରୀ ଏବଂ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଏହି ଗୁଳିକାଣ୍ଡ ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରିବା ତଥା ସିସିଟିଭି କ୍ୟାମେରା ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି । ସ୍ଥାନୀୟ ଡିସିପି ବିଚିତ୍ର ବୀର କହିଛନ୍ତି ଯେ ରାଜୌରୀ ଗାର୍ଡେନ ଥାନାକୁ ରାତି ପ୍ରାୟ ୯ଟା ୪୫ରେ ଗୁଳିକାଣ୍ଡ ନେଇ ସୂଚନା ମିଳିଥିଲା । ବର୍ଗର କିଙ୍ଗ୍ ଆଉଟ୍ଲେଟରେ ଗୁଳିମାଡ଼ ହୋଇଥିବା ସମ୍ପର୍କରେ ଏକ ଫୋନ୍ କଲ୍ ଆସିଥିଲା ।
ଖବର ପାଇ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାଥମିକ ସୂଚନା ଅନୁସାରେ, ୧୦ ରାଉଣ୍ଡ୍ରୁ ଅଧିକ ଫାୟାରିଂ ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପୋଲିସ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚଳାଇଛି । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।
ସୂଚନା ମୁତାବକ, ତିନି ଜଣ ଦୁର୍ବୃତ୍ତ ଆସି ବର୍ଗର କିଙ୍ଗ୍ ଭିତରେ ଆଖିବୁଜା ଗୁଳି ଚଳାଇଛନ୍ତି । ଏହି ଘଟଣା ଗତକାଲି ସନ୍ଧ୍ୟା ସମୟର । ଏହି ଫୁଡ ଆଉଟ୍ଲେଟ ଭିତରେ ତିନି ଜଣ ଶୁଟର୍ ୧୦ ରାଉଣ୍ଡ ଗୁଳି ଚଳାଇଥିବା ପୋଲିସ କହିଛି । ଜଣେ ବ୍ୟକ୍ତି ଏଠାରେ ସାଙ୍ଗଙ୍କ ସହ ବସି ବର୍ଗର ଖାଉଥିବା ବେଳେ ତାଙ୍କୁ ଟାର୍ଗେଟ୍ କରି ଏହି ଗୁଳିମାଡ଼ କରାଯାଇଛି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।