ୟୁପି: ଅଲିଗଡ଼ ମୁସ୍‌ଲିମ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଗୁଳିକାଣ୍ଡ, ୨ କର୍ମଚାରୀ ଆହତ

ଅଲିଗଡ଼ ମୁସ୍‌ଲିମ ବିଶ୍ୱବିଦ୍ୟାଳୟ (AMU) କ୍ୟାମ୍ପସ୍‌ରେ ଗୁଳିକାଣ୍ଡ । ଏଠାରେ ବିଶ୍ୱବିଦ୍ୟାଳୟର ୨ କର୍ମଚାରୀଙ୍କ ଉପରକୁ ଫାୟାରିଂ କରାଯାଇଛି । ଘଟଣାରେ ସମ୍ପୃକ୍ତ ୨ ଜଣ ଆକ୍ରମଣକାରୀଙ୍କୁ କାବୁ କରିନେଇଛନ୍ତି ସୁରକ୍ଷା କର୍ମୀ । ଆହତ ୨ ଜଣଙ୍କୁ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଘଟଣାକୁ ନେଇ କ୍ୟାମ୍ପସ୍‌ରେ ଭୟର ବାତାବରଣ ଖେଳିଯାଇଛି ।

ଗୁଳି ଚାଳନାର ଶବ୍ଦ ଶୁଣି ଆଖାପାଖରେ ଥିବା ସୁରକ୍ଷା କର୍ମୀ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ ଏବଂ ତତ୍‌କ୍ଷଣାତ ଆକ୍ରମଣକାରୀଙ୍କୁ କାବୁ କରିନେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ ଅଲିଗଡ଼ ମୁସ୍‌ଲିମ ବିଶ୍ୱବିଦ୍ୟାଳୟର ଜବାହର୍‌ଲାଲ ନେହେରୁ (JN) ମେଡିକାଲ କଲେଜରେ ଫାୟାରିଂ ହୋଇଥିଲା । ଏହି କାଣ୍ଡ ଘଟାଇଥିବା ଦୁର୍ବୃତ୍ତମାନେ କ୍ୟାଣ୍ଟିନ୍‌ ସଞ୍ଚାଳକଙ୍କୁ ସପ୍ତାହର ବଟି ମାଗୁଥିଲେ । କ୍ୟାଣ୍ଟିନ୍‌ ସଞ୍ଚାଳକ ବଟି ଦେବାକୁ ମନା କରିଦେବାରୁ ସେମାନେ ସେଠାରେ ଫାୟାରିଂ କରିଥିଲେ ।

ଏହି ଘଟଣା ମେଡିକାଲ କଲେଜର ସ୍ପେଶାଲ ବୋର୍ଡ ନିକଟସ୍ଥ କ୍ୟାଣ୍ଟିନ୍‌ ବାହାରେ ଘଟିଥିଲା । ଦୁର୍ବୃତ୍ତମାନେ ୬ରୁ ଅଧିକ ଗୁଳି ଚାଳନା କରିଥିଲେ, ଯାହାକୁ ନେଇ ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଥିଲା । ଏଥିରେ ଜଣେ ମହିଳା ଆହତ ହୋଇଥିଲେ । ୨୦୧୮ରେ ମଧ୍ୟ ବିଶ୍ୱବିଦ୍ୟାଳୟରେ ଏହିପରି ଏକ ଗୁଳିକାଣ୍ଡ ଘଟିଥିଲା । କ୍ୟାମ୍ପସ୍‌ର ଆର୍‌ଏମ୍‌ ହଲ୍‌ରେ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ ।