ପଞ୍ଜାବ: ସପିଂ କରିବାକୁ ଯାଉଥିବା ଭାଇ, ଭଉଣୀଙ୍କୁ ଗୁଳି, ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ

ପଞ୍ଜାବର ଫିରୋଜପୁର ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଗୁଳିକାଣ୍ଡ ଘଟିଛି । ସ୍ପଷ୍ଟ ଦିବାଲୋକରେ ୩ ଭାଇ, ଭଉଣୀଙ୍କୁ ଗୁଳି କରି ମାରିଛନ୍ତି ଦୁର୍ବୃତ୍ତ । ଏହି ଘଟଣା ଅକାଲଗଡ଼ ସାହିବ ଗୁରୁଦ୍ୱାର ନିକଟରେ ଘଟିଛି । ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ପ୍ରାଣବାୟୁ ଉଡିଯାଇଛି ।

ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକମାନେ ସମସ୍ତେ ଗୋଟିଏ ପରିବାରର ବୋଲି ପୋଲିସ କହିଛି ।

ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଏକ ଧଳା କାର୍‌ରେ ସପିଂ କରିବାକୁ ଯାଉଥିଲେ । ସେମାନେ ଗୁରୁଦ୍ୱାର ସମ୍ମୁଖରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତମାନେ ଏକ ବାଇକରେ ଆସି କାର୍‌ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଦୁର୍ବୃତ୍ତମାନେ ପାଖାପାଖି ୨୦ ରାଉଣ୍ଡ ଗୁଳି ଚାଳନା କରିଥିଲେ ।

ପୋଲିସ ପହଞ୍ଚି କାରର ଡୋର ଖୋଲିବା ପରେ ସେଠାରେ ତିନି ଜଣଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଥିଲେ । ତାଙ୍କର ମାସେ ପରେ ବିବାହ ହୋଇଥାନ୍ତା । ସେ ନିଜର ଦୁଇ ଭାଇଙ୍କ ସହ ସପିଂ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା ।

ସେପଟେ ହତ୍ୟାକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ପୋଲିସ କହିଛି । ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।