ଆମେରିକା: ର‍୍ୟାପର ଫ୍ରେଞ୍ଚ୍‌ ମୋଣ୍ଟାନାଙ୍କ ମ୍ୟୁଜିକ ଭିଡିଓ ସୁଟ୍‌ ବେଳେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି; ଅନେକ ଲୋକ ଗୁରୁତର

ଆମେରିକାର ଫ୍ଲୋରିଡାରେ ଏକ ରେଷ୍ଟୁରାଣ୍ଟ ବାହାରେ ଆଖିବୁଜା ଗୁଳି ଚାଳନା ହୋଇଛି। ଏଥିରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ପ୍ରାୟ ୧୦ ଜଣଙ୍କ ଉପରେ ଗୁଳି ଚଳାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ମିଡିଆ ରିପୋର୍ଟ ମୁତାବକ, ର‍୍ୟାପର ଫ୍ରେଞ୍ଚ ମୋଣ୍ଟାନା ସେଠାରେ ଏକ ମ୍ୟୁଜିକ୍‌ ଭିଡିଓ ସୁଟ୍‌ କରୁଥିଲେ। ଏହି ସମୟରେ ହଠାତ୍‌ ସେଠି ଗୁଳିକାଣ୍ଡ ଘଟିଥିଲା। ଫ୍ଲୋରିଡାର ମିୟାମି ଗାର୍ଡେନସ୍ଥିତ ‘ଦ ଲିକିଙ୍ଗ୍‌ ରେଷ୍ଟୁରାଣ୍ଟ’ରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଘଟଣାରେ ଅନେକ ଲୋକଙ୍କୁ ଗୁଳି କରାଯାଇଛି। ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ହେଲା, ରେଷ୍ଟୁରାଣ୍ଟ ପାର୍କିଂରେ ବିବାଦ ଯୋଗୁ ଏହି ଗୁଳିକାଣ୍ଡ ଘଟିଥିଲା। ସେହି ସମୟରେ ସେଠାରେ ର‍୍ୟାପର ଫ୍ରେଞ୍ଚ୍‌ ମୋଣ୍ଟାନାଙ୍କ ମ୍ୟୁଜିକ୍‌ ଭିଡିଓ ଶୁଟ୍‌ ଚାଲିଥିଲା। ସେ କହିଥିଲେ କି, ଅତି କମ୍‌ରେ ୧୦ରୁ ୧୫ଟି ଗୁଳିର ଶବ୍ଦ ଶୁଭାଯାଇଥିଲା ଏବଂ ରେଷ୍ଟୁରାଣ୍ଟରେ ଉପସ୍ଥିତ ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।

ସେପଟେ ଅଧିକାରୀମାନେ ଗୁଳିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କର ସଠିକ୍‌ ସଂଖ୍ୟା ଏ ପର୍ଯ୍ୟନ୍ତ ନିଶ୍ଚିତ କରି ନାହାନ୍ତି। କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ମୁତାବକ, ଏଥିରେ ପାଖାପାଖି ୧୦ ଜଣ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ପୋଲିସ ଏବଂ ଅଗ୍ନିଶମ ଗାଡ଼ି ମୁତୟନ ଅଛି। ତେବେ ଏ ପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। ଏହି ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଲୋକେ ଏବଂ ଆଖାପାଖର ରେଷ୍ଟୁରାଣ୍ଟଗୁଡ଼ିକ ଭୟଭୀତ ଅବସ୍ଥାରେ ଅଛନ୍ତି। ଘଟଣା ପରେ ସେଠାକାର ସମସ୍ତ ଦୋକାନ ଏବଂ ରେଷ୍ଟୁରାଣ୍ଟକୁ ବନ୍ଦ କରି ଦିଆଯାଇଛି।

Leave A Reply

Your email address will not be published.