ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍: କାହା ଉପରେ ରହିବ ଫୋକସ, ଲୋକଙ୍କୁ ମିଳିବ କେତେ ଫାଇଦା

ନୂଆଦିଲ୍ଲୀ : ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍। ସଂସଦରେ ଚଳିତ ଆର୍ଥିକ ବର୍ଷର ସଂପୂର୍ଣ୍ଣ ଆୟବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ଆର୍ଥିକ ବର୍ଷରେ ଦୁଇଟି ବଜେଟ ଉପସ୍ଥାପନ ହେବାକୁ ଯାଉଛି । ନିର୍ବାଚନ ବର୍ଷ ଥିବାରୁ ଫେବୃୟାରୀ ମାସରେ ଅନ୍ତରୀଣ ବଜେଟ ଉପସ୍ଥାପନ ହୋଇଥିଲା । ଲଗାତାର ସପ୍ତମ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମାଣ ସୀତାରମଣ। ଏହାସହ ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ ଯିଏ, ଲଗାତାର ୭ଟି ବଜେଟ୍ ଉପସ୍ଥାପନ କରିବେ।
ବଜେଟରେ କେଉଁ ବଡ଼ ଘୋଷଣା ହେବ, ତାହା ତ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। କିନ୍ତୁ ଇଏ ବଜେଟ୍ ଉପରେ ସମସ୍ତଙ୍କର ନଜର ରହିଛି। ଏହି ବଜେଟ କେବଳ ଟିକସଦାତାଙ୍କ ପାଇଁ ନୁହେଁ ବରଂ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୮ଟା ୪୦ରେ ଅର୍ଥ ମନ୍ତ୍ରାଳୟରୁ ବାହାରିବେ। ସକାଳ ପ୍ରାୟ ୯ଟା ବେଳେ ବଜେଟ୍ ପ୍ରସ୍ତୁତ କରୁଥିବା ମନ୍ତ୍ରାଳୟର ଟିମ୍ ସହ ଫଟୋ ସେସନ୍ କରିବେ। ୧୦ଟାରେ ଅର୍ଥମନ୍ତ୍ରୀ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ବଜେଟ୍ ନେଇ ସଂସଦରେ ପହଞ୍ଚିବେ ଏବଂ ସେଠାରେ ଆଉ ଏକ ଫଟୋ ସେସନ ହେବ। ଆଉ ୧୧ଟାରେ ଅର୍ଥମନ୍ତ୍ରୀ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ।
କେନ୍ଦ୍ର ବଜେଟ୍ ର ଗୋଟିଏ ଦିନ ପୂର୍ବରୁ ସୋମବାର ଏନଡିଏର ଉଭୟ ଗୃହର ଫ୍ଲୋର ଲିଡର୍ସ ବୈଠକ କରିଥିଲେ । ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଏଲ୍ ମୁରୁଗାନ୍ ଉପସ୍ଥିତ ଥିଲେ। ବଜେଟ୍ ଉପରେ ଗୃହ ଭିତରେ ଓ ବାହାରେ ଏନଡିଏ ଏକଜୁଟ ହେବା ଉଚିତ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବଜେଟ୍ ଉପରେ ଏନଡିଏର ସମସ୍ତ ସହଯୋଗୀ ଦଳ ଏକ ସ୍ୱରରେ କହିବେ।