ବିହାରରେ ଓମିକ୍ରନ୍‌ର ପ୍ରଥମ କେସ୍‌, ମାସେ ଭିତରେ ୧୦ ଗୁଣ ବଢ଼ିଲା ସଂକ୍ରମଣ

କରୋନାର ତୃତୀୟ ଲହରୀ ଏବେ ସାରା ଦେଶରେ ଆରମ୍ଭ ହୋଇଛି। ଏଥରକ ନୂଆ ଭ୍ୟାରିଏଣ୍ଟ ଭାବେ ଓମିକ୍ରନ୍‌ କାୟା ବିସ୍ତାର କରିବାରେ ଲାଗିଛି। ଓମିକ୍ରନ୍‌ର ଭୟାବହତା ପୂର୍ବ ଦୁଇଟି ଲହରୀ ଠାରୁ ଯଥେଷ୍ଟ ଅଧିକ ରହିବ ବୋଲି ଏକ୍ସପର୍ଟମାନେ ମତବ୍ୟକ୍ତ କରିଛନ୍ତି। ଏଣୁ ଲୋକଙ୍କ ଭିତରେ ପୁଣିଥରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଇତି ମଧ୍ୟରେ ସବୁ ରାଜ୍ୟରେ ଓମିକ୍ରନ୍‌ ବ୍ୟାପିବା ଆରମ୍ଭ କରିଛି।

ଏହି ଧାରାରେ ଏବେ ବିହାରରେ ବି କାୟା ବିସ୍ତାର କରିବା ଆରମ୍ଭ କରି ଓମିକ୍ରନ୍‌। ଗୁରୁବାର ଦିନ ବିହାରରେ ଓମିକ୍ରନ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ବିହାର ରାଜଧାନୀ ପାଟନାର ଜଣେ ୨୬ ବର୍ଷୀୟ ଯୁବକ ଓମିକ୍ରନ୍‌ ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି। ନିକଟରେ ଯୁବକ ଜଣକ ଦିଲ୍ଲୀରୁ ଫେରିଛନ୍ତି।

ବିହାରର ରାଜ୍ୟ ସ୍ୱାସ୍ଥ୍ୟ ସୋସାଇଟିର କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ରାଜ୍ୟରେ ଓମିକ୍ରନ୍‌ ଭ୍ୟାରିଏଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତ ବ୍ୟକ୍ତି ଜଣକ ରାଜଧାନୀ ପାଟଣାର କିଦବଇପୁରୀର ବାସିନ୍ଦା। ପ୍ରକାଶ ଯେ ବିହାରରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୨ଟି ନୂଆ ମାମଲା ସାମ୍ନାକୁ ଆସିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ବିହାରରେ ଗୁରୁବାର ଦିନ କରୋନା ସଂକ୍ରମଣର ଚିକିତ୍ସା କରାଉଥିବା ରୋଗୀଙ୍କ ସଂଖ୍ୟା ବଢ଼ି ୩୩୩ ରେ ପହଞ୍ଚିଛି। ମାସେ ତଳେ ରାଜ୍ୟରେ କରୋନା ଭାଇରସ୍‌ର ମାମଲା ୩୫ ପାଖାପାଖି ଥିଲା। କିନ୍ତୁ ଏବେ ଏହା ୧୦ ଗୁଣ ବୃଦ୍ଧି ପାଇଛି।