ବିଲୟ ପରେ ଆକାଶରେ ଉଡ଼ିଲା ‘ଏୟାର ଇଣ୍ଡିଆ-ଭିସ୍ତାରା’ର ପ୍ରଥମ ବିମାନ, ରାତିରେ ମୁମ୍ବାଇ ପାଇଁ ଭରିଥିଲା ଉଡ଼ାଣ
ବିଲୟ ପରେ ଆକାଶରେ ଉଡ଼ିଲା ‘ଏୟାର ଇଣ୍ଡିଆ-ଭିସ୍ତାରା’ର ପ୍ରଥମ ବିମାନ । ଇଣ୍ଟିଗ୍ରେଟେଡ୍ ଏୟାର ଇଣ୍ଡିଆ-ଭିସ୍ତାରା ୟୁନିଟର ପ୍ରଥମ ବିମାନ ସୋମବାର ରାତିରେ ଦୋହାରୁ ମୁମ୍ବାଇ ପାଇଁ ଉଡ଼ାଣ ଭରିଥିଲା । ‘AI2286′ କୋଡ୍ ସହିତ ଚାଲୁଥିବା ଏହି ବିମାନ ସ୍ଥାନୀୟ ସମୟାନୁସାରେ ରାତି ୧୦ଟା ୭ରେ ଦୋହାରୁ ବାହାରିଥିଲା । ମଙ୍ଗଳବାର ସକାଳେ ଏହା ମୁମ୍ବାଇରେ ପହଞ୍ଚିଛି । ଏୟାର ଇଣ୍ଡିଆ ଓ ଭିସ୍ତାରର ମିଶ୍ରଣ ପରେ ଏହା ହେଉଛି ୟୁନିଟର ପ୍ରଥମ ଅନ୍ତର୍ଜାତୀୟ ବିମାନ ।
ସେହିପରି ଘରୋଇ କ୍ଷେତ୍ରରେ ୟୁନିଟର ପ୍ରଥମ ନିର୍ଦ୍ଧାରିତ ବିମାନ ‘AI2984’ ସୋମବାର ବିଳମ୍ବିତ ରାତି ସାଢ଼େ ୧ଟାରେ ମୁମ୍ବାଇରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା । ଏହା A320 ବିମାନ ସହିତ ସଞ୍ଚାଳିତ ହେଉଛି । ମିଶ୍ରଣ ପରେ ଏୟାର ଇଣ୍ଡିଆ ଦ୍ୱାରା ସଞ୍ଚାଳିତ ଭିସ୍ତାରା ବିମାନଗୁଡ଼ିକ ପାଇଁ ‘AI2XXX’ କୋଡ୍ ବ୍ୟବହାର କରାଯାଉଛି, ଯାହା ଦ୍ୱାରା ଯାତ୍ରୀମାନଙ୍କୁ ବୁକିଙ୍ଗ୍ ସମୟରେ ଭିସ୍ତାରା ବିମାନ ଚିହ୍ନିବାରେ ସହଜ ହେବ ।
ଦୋହାରୁ ମୁମ୍ବାଇ ପାଇଁ ସଞ୍ଚାଳନ ହେବାକୁ ଥିବା ‘AI2286′ ବିମାନ ବିଷୟରେ ପୂର୍ବରୁ ସୂତ୍ର ପକ୍ଷରୁ ସୂଚନା ମିଳିଥିଲା । ଫ୍ଲାଇଟ୍ ଟ୍ରେକିଙ୍ଗ୍ ୱେବସାଇଟ ମୁତାବକ, A321 ଏୟାରକ୍ରାଫ୍ଟ ଦ୍ୱାରା ସଞ୍ଚାଳିତ ବିମାନ ଦୋହାରୁ ରାତି ୧୦ଟା ୭ ମିନିଟରେ ଉଡ଼ାଣ ଭରିଥିଲା ।
ଭିସ୍ତାରାର ଉଡ଼ାଣ କୋଡ୍ ‘ୟୁକେ’ରୁ ବଦଳି ‘AI2XXX’ ହୋଇଛି । ଏୟାରଲାଇନର ଶେଷ ଉଡ଼ାଣ ‘ୟୁକେ ୧୧୫’ ଦିଲ୍ଲୀରୁ ସିଙ୍ଗାପୁର ପାଇଁ ନିର୍ଦ୍ଧାରିତ ଥିଲା, ଯାହା ସୋମବାର ରାତି ୧୧ଟା ୪୫ ମିନିଟରେ ଉଡ଼ାଣ ଭରିଥିଲା । ଏୟାର ଇଣ୍ଡିଆ ଓ ଭିସ୍ତାରା ଉଭୟ ହିଁ ଟାଟା ଗ୍ରୁପର ଅଂଶ । ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ସଞ୍ଚାଳିତ ହେଉଥିଲା ।
ସୂଚନା ଯେ ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମାଲିକାନା କମ୍ପାନୀ ‘ଭିସ୍ତାରା’ ଗତକାଲି ନିଜର ଶେଷ ଉଡ଼ାଣ ଭରିଥିଲା ।