ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍ ଭାରିଏଣ୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଭଳି ଧୀରେ ଧୀରେ ଭାରତରେ ବି ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି। ଏହାରି ଭିତରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବାବେଳେ କରୋନା ଓମିକ୍ରନ ଭାରିଏଣ୍ଟରେ ସେ ଆକ୍ରାନ୍ତ ଥିବା ଜଣାପଡିଛି। ତାଙ୍କୁ ପ୍ରଥମେ ୟଶବନ୍ତରାଓ ଚଭନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି।
A 52-year-old man with a travel history to Nigeria died of heart attack in Pimpri Chinchwad on Dec 28. The death of the patient is due to non-COVID reasons. Today’s NIV report reveals that he was infected with #Omicron variant of coronavirus: Maharashtra Health Department https://t.co/14UzGVEj87
— ANI (@ANI) December 30, 2021
ମିଳିଥିବା ସୂଚନା ମୁତାବକ, ୫୨ ବର୍ଷୀୟ ଏହି ବ୍ୟକ୍ତି ଜଣକ ନାଇଜେରିଆରୁ ଫେରିଥିଲେ। ମୃତ ବ୍ୟକ୍ତିଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା। ହେଲେ ଗୁରୁବାର ତାଙ୍କର ଏନଆଇଭି ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ସେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ଥିଲେ। ଏ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ଓମିକ୍ରନ ଭାଇରସ୍ କାୟା ମେଲାଇ ସାରିଛି ଏବଂ ଏହି ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ସର୍ବାଧିକ ଓମିକ୍ରନ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସିଛି। ଓମିକ୍ରନ ଭାରିଏଣ୍ଟ ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ମହାରାଷ୍ଟ୍ର ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି। ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ପୂର୍ବରୁ ବଳବତ୍ତର ରହିଛି।
ଅନ୍ୟପକ୍ଷରେ ଗୁରୁବାରଠାରୁ ମୁମ୍ବାଇରେ ୧୪୪ ଲାଗୁ ହୋଇଛି। ମୁମ୍ବାଇରେ ଏହି ନିୟମ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ଦେଶରେ ଓମିକ୍ରନ ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ଖବର ଏବେ ସମସ୍ତଙ୍କ ଭିତରେ ଏକ ପ୍ରକାରର ଭୟର ବାତାବରଣ ଖେଳାଇ ଦେଇଛି।
ସୂଚନା ଥାଉକି, ଦେଶରେ ଆଜି ହଜାରେ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୧୨୭୦ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଜଣ ଓମିକ୍ରନରେ ଚିହ୍ନଟ ହୋଇଛନ୍ତି। ଗତକାଲି ପର୍ଯ୍ୟନ୍ତ ୯୬୧ ଓମିକ୍ରନ କେସ୍ ରହିଥିଲା । ଗୋଟିଏ ଦିନରେ ୩୦୯ ଓମିକ୍ରନ୍ କେସ ବାହାରିଛି ।