ଏମିତି ନିର୍ଦ୍ଦୟ ଶାସକ, ରେଡିଓ ଶୁଣିବାରୁ ଦେଲେ ମୃତ୍ୟୁ ଦଣ୍ଡ, ଜାହାଜ ମାଲିକଙ୍କୁ ଗୁଳି କରି ହତ୍ୟା କଲେ କିମ୍ ଜୋଙ୍ଗ୍ ଉନ୍

ରେଡିଓ ଶୁଣିବାରୁ ମିଳିଲା ମୃତ୍ୟୁ ଦଣ୍ଡ। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ଏକଦମ୍ ସତ। ରେଡିଓ ଶୁଣିବା ଭଳି ଏକ ଛୋଟ କଥାକୁ ନେଇ ନିଜ ଦେଶର ଜଣେ ଜାହାଜ ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନ୍। ନିଜ କ୍ରୁରତା ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ କିମ୍ ଜୋଙ୍ଗଙ୍କର କୁତ୍ସିତ ଚେହେରା ପୁଣିଥରେ ସର୍ବସମ୍ମୁଖକୁ ଆସିଛି।

ରିପୋର୍ଟ ମୁତାବକ, କିମ୍ ଜୋଙ୍ଗ ଜଣେ ମାଛଧରା ବୋଟ୍‌ର କ୍ୟାପ୍‌ଟେନ୍‌ ଚୋଇଙ୍କୁ ବ୍ୟାନ୍‌ ହୋଇଥିବା ଏକ ରେଡିଓ ଷ୍ଟେସନ୍ କାର୍ଯ୍ୟକ୍ରମ ଶୁଣିବା ଯୋଗୁ ସର୍ବସମ୍ମୁଖରେ ହତ୍ୟା କରିଛନ୍ତି। ଚୋଇ ୫୦ରୁ ଊର୍ଦ୍ଧ୍ୱ ଜାହାଜର ମାଲିକ ଥିଲେ। ସେ ଗତ ୧୫ ବର୍ଷ ଧରି ସେହି ରେଡିଓ ସେଣ୍ଟର ଶୁଣି ଆସୁଥିଲେ।

kim

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଚୋଇ ପୂର୍ବରୁ ସେନାରେ ରେଡିଓ ଅପରେଟର ଭାବେ କାମ କରୁଥିଲେ। ସେବେ ଠାରୁ ସେ ବିଦେଶୀ ରେଡିଓ ସେଣ୍ଟରରୁ ବିଭିନ୍ନ କାର୍ଯ୍ୟକ୍ରମ ଶୁଣିବା ଆରମ୍ଭ କରିଥିଲେ। ଚାକିରି ଛାଡ଼ିବା ପରେ ମଧ୍ୟ ସେ ସେହି ରେଡିଓ ସେଣ୍ଟର ଶୁଣୁଥିଲେ। କିନ୍ତୁ ଏଥିପାଇଁ ଅନୁମତି ନଥିଲା। ମାତ୍ର ଚୋଇ ଭାବୁଥିଲେ ଯେ ସେ ପୂର୍ବତନ କର୍ମଚାରୀ ହୋଇଥିବାରୁ ତାଙ୍କ ପାଇଁ ଅନୁମତି ରହିଛି।

ରେଡିଓ ଫ୍ରି ଏସିଆର ସୂଚନାନୁସାରେ ସମୁଦ୍ରରେ ଯାତ୍ରା କରିବା ବେଳେ ଚୋଇଙ୍କ ରେଡିଓରେ ବିଦେଶୀ ଏୟାର ୱେଭ୍ ଆସୁଥିଲା। ଏଣୁ ସେହି ରେଡିଓ ଷ୍ଟେସନ୍ରୁ‌ କାର୍ଯ୍ୟକ୍ରମ ଶୁଣୁଥିଲେ। କିନ୍ତୁ ଏହି ସୂଚନା କ୍ୟାପ୍‌ଟେନ୍‌ ଚୋଇଙ୍କର ଜଣେ କର୍ମଚାରୀ ହିଁ ପ୍ରଶାସନକୁ ଦେଇଥିଲା। ଫଳରେ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଚୋଇଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି ନିର୍ଦ୍ଦୟୀ କିମ୍ ଜୋଙ୍ଗ୍।

କୁହାଯାଉଛି ଯେ ସମୁଦ୍ରକୁ ଯାଉଥିବା ଅନେକ ଲୋକ ବିଦେଶୀ ରେଡିଓ ଷ୍ଟେସନ୍ ଶୁଣିଥାନ୍ତି। ଚୋଇଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି ମାରି ଉତ୍ତର କୋରିଆ ପ୍ରଶାସନ ତରଫରୁ ଚେତାଇ ଦିଆଯାଇଛି ଯେ ଯିଏ ନିୟମ ଉଲ୍ଲଂଘନ କରିବ ସେ ଏମିତି ମରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.