ଦିନରେ ଡ୍ୟୁଟି ରାତିରେ ବ୍ୟାୟାମ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ

ଏବେ ସମସ୍ତେ ଫିଟନେସ ମାନିଆ ହୋଇ ପଡିଛନ୍ତି। କାମ କରନ୍ତୁ କି ନାହିଁ କିନ୍ତୁ ଫିଟନେସ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। କିନ୍ତୁ ମଧ୍ୟ ପ୍ରଦେଶର ଇନ୍ଦୋରରୁ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଜଣେ ଥାନା ଅଧିକାରୀ କାମ ସହିତ ନିଜ ଫିଟନେସର ଧ୍ୟାନ ମଧ୍ୟ ରଖିଛନ୍ତି। ଏଠାରେ ଜଣେ ଥାନା ଅଫିସର ପୋଲିସ ପୋଷାକରେ ବ୍ୟାୟାମ କରୁଥିବାର ନଜର ଆସିଛି । ଏହି ପୋଲିସ କର୍ମୀଙ୍କ ବ୍ୟାୟାମ କରୁଥିବାର ଭିଡ଼ିଓ ପୁଲିସ୍ ବିଭାଗରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ଏହାକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି । ଭିଡିଓଟି ଭାଇରଲ ହେବା ପରେ ଏବେ ଅଫିସର ଠାରୁ ଆରମ୍ଭ କରି ଯବାନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଫିଟନେସ ପ୍ରତି ଧ୍ୟାନ ଦେଇଛନ୍ତି। ଅପରାଧ ରୋକିବା ଏବଂ ଅପରାଧୀକୁ ଧରିବା ପାଇଁ ପୋଲିସ ଶାରୀରିକ ଭାବେ ଫିଟ୍‌ ଏବଂ ମଜବୁତ ହେବା ଜରୁରୀ।

ଦିନରେ ନିଜର ଡ୍ୟୁଟି କରିବା ଯୋଗୁଁ ଫିଟନେସ ପାଇଁ ଧ୍ୟାନ ଦେଇପାରୁନାହାନ୍ତି। କିନ୍ତୁ ରାତିରେ ନିଜ ଫିଟନେସ ପାଇଁ ବ୍ୟାୟାମ କରୁଛନ୍ତି ଏହି ପୋଲିସ କର୍ମୀ। ସୂଚନା ଅନୁସାରେ, ଇନ୍ଦୋରର ବିଜୟ ନଗର ଥାନାର ପ୍ରଭାରୀ ତହଜିବ କାଜିଙ୍କର ଡ୍ୟୁଟି ଶେଷ ହେବା ପରେ ଆରମ୍ଭ ହୋଇଯାଏ କସରତ କାର୍ଯ୍ୟ । ଯେମିତି ରାତି ୧୨ଟା ହୋଇଯାଏ ତାଙ୍କର ଡ୍ୟୁଟି ସରିଯାଏ , ଆଉ ଏହାପରେ ସେ ଏକ୍ସରସାଇଜ୍‌ରେ ଲାଗିଯାନ୍ତି । ନିଜକୁ ଫିଟ୍‌ ରଖିବା ପାଇଁ ବିଳମ୍ୱିତ ରାତି ଯାଏ ଭିନ୍ନ ଭିନ୍ନ ପ୍ରକାରର ବ୍ୟାୟାମ ତହଜିବ କାଜି କରିଥାନ୍ତି । ଏହା ବ୍ୟତୀତ ସେ ପ୍ରତିଦିନ ରନିଂ ବି କରନ୍ତି । ଏହି ଥାନା ପ୍ରଭାରୀ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟି ଯାଇଛନ୍ତି ।

ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଲୋକେ ତାଙ୍କର ଜବରଦସ୍ତ ପ୍ରଶଂସା କରୁଛନ୍ତି। ଆଉ ତାଙ୍କ ଭିଡିଓ ଭାଇରଲ ହେବା ପରେ ସହରର ଅନ୍ୟ ପୋଲିସ କର୍ମୀ ମଧ୍ୟ ଫିଟନେସ ପାଇଁ ଧ୍ୟାନ ଦେଇଛନ୍ତି। ସୂଚନାଯୋଗ୍ୟ, କିଛି ବର୍ଷ ତଳେ ତହଜିବ କାଜି ବଦଳି ହୋଇ ଇନ୍ଦୋରର ବିଜୟ ନଗର ଥାନାକୁ ଆସିଛନ୍ତି। ତୁକୋଗଂଜରେ ଏକ ବହୁତଳ ହୋଟେଲରେ ନିଆଁ ଲାଗିବା ଘଟଣାରେ ଚର୍ଚ୍ଚା ପରିସରକୁ ଆସିଥିଲେ ଏହି ପୋଲିସ କର୍ମୀ। ନିଆଁ ଏବଂ ଧୂଆଁରେ ବନ୍ଦ ଥିବା କୋଠରୀରେ ପସି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ତହଜିବ କାଜି।

Leave A Reply

Your email address will not be published.