ତାମିଲନାଡୁ : ପାସେଞ୍ଜର ଟ୍ରେନର ୫ ବଗି ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

ତାମିଲନାଡୁର ବିଲ୍ଲୁପୁରମ ରେଲୱେ ଷ୍ଟେସନ ପାଖରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି । ଘଟଣାରେ ପାସେଞ୍ଜର ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ରେଳ ଅଧିକାରୀ ପହଞ୍ଚିଛନ୍ତି । ଲାଇନଚ୍ୟୁତ ବଗିକୁ ମରାମତି କାମ ଆରମ୍ଭ ହୋଇଛି । ତେବେ ଘଟଣାରେ କେହି ହତାହତ ହୋଇନାହାନ୍ତି ।

ଖବର ମୁତାବକ, ବିଲ୍ଲୁପୁରମରୁ ପୁଡୁଚେରୀ ଯାଉଥିବା ପାସେଞ୍ଜର ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ବିକଟାଳ ଶବ୍ଦ ଶୁଣି ଟ୍ରେନକୁ ଅଟକାଇଥିଲେ ଲୋକ ପାଇଲଟ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ଯାତ୍ରୀ । ଟ୍ରେନ ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । ଟ୍ରେନରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଟ୍ରେନ ବଗି କେମିତି ଲାଇନଚ୍ୟୁତ ହେଲା, ତାହା ଏଯାଏଁ ଜଣାପଡିନାହିଁ । ଏବେ ମରାମତି କାମ ଚାଲିଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ପଶ୍ଚିମବଙ୍ଗର ହାୱଡାରେ ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ଫଳରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ଗତ କିଛିଦିନ ହେଲାଣି ବିଭିନ୍ନ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସୁଛି । ଜାଣିଶୁଣି ଟ୍ରେନ ଟ୍ରାକରେ ବଡ ବଡ ପଥର ଖଣ୍ଡ, ସିମେଣ୍ଟ ଖଣ୍ଡ, ସିଲିଣ୍ଡର ନଚେତ ଅନ୍ୟ କିଛି ଜିନିଷ ରଖାଯାଉଛି ।

ହାୱଡା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ । ମାଲଗାଡ଼ିକୁ ଧକ୍କା ଦେଇ ଟ୍ରାକରୁ ଖସିଲା ଏକ୍ସପ୍ରେସ । ଝାଡ଼ଖଣ୍ଡ ଚକ୍ରଧରପୁରରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। । ରାଜଖରସୁଆଁ ଓ ବାରାବାମ୍ବୁ ମଧ୍ୟରେ ୧୮ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲା ।

ଉତ୍ତରପ୍ରଦେଶ କାନପୁରରେ ଟ୍ରେନ ଦୁର୍ଘଟଣାରେ ୨୨ଟି ବଗି ଟ୍ରାକରୁ ଖସିପଡିଥିଲା । ବାରଣାସୀରୁ ଅହମଦାବାଦ ଯାଉଥିବା ସାବରମତୀ ଏକ୍ସପ୍ରେସ ରାତି ୨.୩୫ ମିନିଟରେ କାନପୁର ପାଖରେ ଲାଇନଚ୍ୟୁତ ହୋଇଥିଲା ।

You might also like