ଛୁଆଙ୍କୁ ବି ଛାଡ଼ୁନି ମହାମାରୀ, କରୋନାରେ ୫ ଦିନର ନବଜାତକର ମୃତ୍ୟୁ

୫ ଦିନର ନବଜାତକଙ୍କ ଜୀବନ ନେଲା କରୋନା। କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ୫ ଦିନର ଏକ ଛୁଆର ଗ୍ଵାଲିୟରର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଜନ୍ମ ହେବା ପରଠାରୁ ହିଁ ଛୁଆଟିର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା। ସେ ଅନ୍ୟ ରୋଗରେ ମଧ୍ୟ ସଂକ୍ରମିତ ଥିଲା। ଗ୍ଵାଲିୟରର ମୁଖ୍ୟ ଚିକିତ୍ସାଧିକାରୀ ତଥା ସ୍ୱାସ୍ଥ୍ୟ ଅଧିକାରୀ ଡା.ବିନ୍ଦୁ ସିଂଘଲ ରବିବାର କହିଛନ୍ତି, ଏହି ଛୁଆଟିର ଜନ୍ମ ଗ୍ଵାଲିୟର ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖି ୪୫ କିଲୋମିଟର ଦୂର ଡବରା ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିଲା।

ସେ କହିଛନ୍ତି, ନବଜାତ ଶିଶୁର ମୃତ୍ୟୁ କରୋନା ଭାଇରସ୍‌ ଯୋଗୁ ହୋଇଥିବା କୁହାଯାଉଛି। କିନ୍ତୁ ଜନ୍ମ ନେବା ପରଠାରୁ ଛୁଆଟି ଅନ୍ୟ ରୋଗରେ ସଂକ୍ରମିତ ଅଛି। ଏହି କାରଣରୁ ତାକୁ ଡବରା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗ୍ଵାଲିୟରର ମେଡିକାଲ କଲେଜର କମଲାରାଜା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ତା’ ମୃତ୍ୟୁ ଘଟିଛି। ସିଂଘଲ କହିଛନ୍ତି, କେବଳ କରୋନା ସଂକ୍ରମଣ ଯୋଗୁ ଛୁଆଟିର ମୃତ୍ୟୁ ହୋଇଛି ବୋଲି କହିବା ଠିକ୍‌ ନୁହେଁ। କାରଣ ଛୁଆଟି ଜନ୍ମ ବେଳୁ ହିଁ ରୋଗାଗ୍ରସ୍ତ ଥିଲା।

ସୂଚନାଯୋଗ୍ୟ ଯେ ମଧ୍ୟ ପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣର ୧୧, ୨୫୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ମଧ୍ୟ ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୮,୯୪,୧୫୯ ହୋଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଇତି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟ ପ୍ରଦେଶ ସମେତ ପୂରା ଦେଶରେ କରୋନା ଭାଇରସ୍‌ର ୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି।