ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଓ କାର୍ ମଧ୍ୟରେ ଭୀଷଣ ଧକ୍କା, ୫ ମୃତ, ୪ ଆହତ

ଉତ୍ତରପ୍ରଦେଶର ହରଦୋଇରେ ସୋମବାର ସକାଳେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ କାର୍ ଓ ବସ୍ ମଧ୍ୟରେ ଭୟଙ୍କର ଧକ୍କାରେ ୪ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ସେପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅତିରିକ୍ତ ପୋଲିସ ଅଧୀକ୍ଷକ ନୃପେନ୍ଦ୍ର କୁମାର କହିଛନ୍ତି ଯେ ମଲୱାନ କୋତୱାଲି ଅଞ୍ଚଳର ଗୌରୀ ନଗରରେ ଏହି ଦୁର୍ଘଟଣା ଘଟିଛି । ଶିବରାଜପୁରରୁ ବରଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ କାର୍ ଭୋର୍ ପ୍ରାୟ ୩ଟାରେ ବଘୌଲିରୁ ଆସୁଥିବା ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବସରେ ମଧ୍ୟ ବରଯାତ୍ରୀମାନେ ଥିଲେ ।

ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ଆହତ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତମାନଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

You might also like