ଲୋନାଭଲା: ପିକ୍ନିକ୍ କରିବାକୁ ଯାଇ ଜଳପ୍ରପାତରେ ଭାସିଗଲେ ପରିବାରର ୫ ସଦସ୍ୟ, ୨ ମୃତଦେହ ଉଦ୍ଧାର
ମୁମ୍ବାଇ ନିକଟ ଲୋନାଭଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ମନସୁନ୍ ଛୁଟି କାଟିବାକୁ ଯାଇଥିବା ଏକ ପରିବାରର ୫ ଜଣ ସଦସ୍ୟ ଜଳପ୍ରପାତରେ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ପିଲା ଏବଂ ଜଣେ ମହିଳା । ମିଳିଥିବା ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ଖୋଜାଖୋଜିରେ ୨ଟି ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ବାକି ୩ ଜଣଙ୍କୁ ଖୋଜାଖୋଜି ଚାଲିଛି ।
ଲୋନାଭଲା ପୋଲିସ ଟିମ୍ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ ନିଖୋଜମାନଙ୍କୁ ଖୋଜାଖୋଜି କରୁଛନ୍ତି । ଏହି ଜଳପ୍ରପାତ ଭୁସୀ ଡ୍ୟାମ୍ ପଛପାର୍ଶ୍ୱ ପାହାଡ଼ରେ ରହିଛି । ଏହାକୁ ରେଲୱେର ଝରଣା ମଧ୍ୟ କୁହାଯାଏ । ଝରଣାର ପାଣି ଭୁସୀ ଡ୍ୟାମ୍ରେ ପ୍ରବେଶ କରିଥାଏ । ବର୍ତ୍ତମାନ ଡ୍ୟାମ୍ରେ ଅତ୍ୟଧିକ ପାଣି ପ୍ରବେଶ କରିବା ପରେ ପ୍ରଥମ ଥର ଏହି ଦୁର୍ଘଟଣା ସାମ୍ନାକୁ ଆସିଛି ।
ତେବେ ଜଳପ୍ରପାତରେ ଭାସିଯାଇଥିବା ଏହି ପରିବାର ହେଉଛନ୍ତି ପୁଣେ ସୈୟଦ ନଗରର ବାସିନ୍ଦା । ପୁଣେ ଏସ୍ପି ପଙ୍କଜ ଦେଶମୁଖଙ୍କ ସୂଚନା ମୁତାବକ, ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତାଙ୍କ ନାମ ଶାହୀନା ପରଓ୍ଵିନ୍ । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡ଼ିଛି । ଏହିପରି ଜଣେ ନାବାଳିକାଙ୍କ ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇଛି । ତାଙ୍କ ବୟସ ୧୩ ବୋଲି କୁହାଯାଉଛି ।