ନେପାଳରେ ଟଳିଲା ବଡ଼ ବିମାନ ଦୁର୍ଘଟଣା ! ଇଞ୍ଜିନରେ ନିଆଁ ଲାଗିବା ପରେ କାଠମାଣ୍ଡୁରେ କରାଗଲା ଏମରଜେନ୍ସି ଲ୍ୟାଣ୍ଡିଂ

ନେପାଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ହଜାରେ ଫୁଟ୍ ଉଚ୍ଚରେ ଉଡ଼ୁଥିବା ଏକ ବିମାନରେ ହଠାତ୍ ନିଆଁ ଲାଗିଯାଇଥିଲା । ବିମାନରେ ନିଆଁ ଲାଗିବା ପରେ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ VOR ଅର୍ଥାତ୍ ମାନୁଆଲ ଅବତରଣ କରାଯାଇଥିଲା । ବିମାନରେ କ୍ରୁ ମେମ୍ବରଙ୍କ ସମେତ ୭୬ ଜଣ ଯାତ୍ରୀ ଥିଲେ ।

ବର୍ତ୍ତମାନ କେହି ଆହତ ହେବାର ସୂଚନା ନାହିଁ । ତ୍ରିଭୂବନ ବିମାନବନ୍ଦର ଏକ ବୟାନ ଜାରି କରି ଏହି ଜରୁରୀ ଅବତରଣ ସମ୍ପର୍କରେ ସୂଚନା ଦେଇଛି । ବିମାନଟି ସ୍ଥାନୀୟ ସମୟ ସକାଳ ୧୦ଟା ୩୭ ମିନିଟରେ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ବିମାନର ବାମପଟ ଇଞ୍ଜିନରେ ନିଆଁ ଲାଗିଥିଲା । ସକାଳ ୧୧ଟା ୧୫ରେ ତ୍ରିଭୂବନ ଏୟାରପୋର୍ଟରେ ଏହାର VOR ଅବତରଣ କରାଯାଇଥିଲା ।

ବୁଦ୍ଧ ଏୟାରଲାଇନ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ କହିଛି, କାଠମାଣ୍ଡୁରୁ ଭଦ୍ରାପୁର ଯାଉଥିବା ବିମାନ ୯୫୩ର ଇଞ୍ଜିନରେ ଯାନ୍ତ୍ରିକ ସମସ୍ୟା ଦେଖାଦେବା ପରେ କାଠମାଣ୍ଡୁକୁ ଫେରାଇ ନିଆଯାଇଥିଲା । ବିମାନଟି ତ୍ରିଭୂବନ ବିମାନବନ୍ଦରରେ ନିରାପଦରେ ଅବତରଣ କରିଛି । ଆମ ଟେକ୍ନିକାଲ୍ ଟିମ୍ ବର୍ତ୍ତମାନ ବିମାନ ଯାଞ୍ଚ କରୁଛନ୍ତି । ଯାତ୍ରୀମାନଙ୍କୁ ଭଦ୍ରାପୁର ପଠାଇବା ପାଇଁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଉଛି ।

କହି ରଖୁଛୁ, ଗତ ୧୨ ବର୍ଷ ମଧ୍ୟରେ ନେପାଳରେ ୨୧ଟି ବିମାନ ଦୁର୍ଘଟଣା ଘଟିଛି । ଏଥିରେ ଶହ ଶହ ଲୋକଙ୍କ ଜୀବନ ଚାଲିଯାଇଛି । ଗତ ବର୍ଷ ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୬୮ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଗତକାଲି ଗୁଜରାଟର ପୋରବନ୍ଦରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । କ୍ରାସ୍ ସମୟରେ ହେଲିକପ୍ଟରରୁ ଡେଇଁଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ୨ ଜଣ ହସ୍ପିଟାଲ ନେବା ବାଟରେ ଆଖି ବୁଜିଥିଲେ ।