ପୋଲାଣ୍ଡ, ରୋମାନିଆ, ଚେକ୍‌ ରିପବ୍ଲିକ…; ୟୁରୋପର ୬ଟି ଦେଶରେ ଭୟଙ୍କର ବନ୍ୟା, ୨୨ରୁ ଅଧିକ ମୃତ

ମଧ୍ୟ ୟୁରୋପରେ ଆସିଛି ଭୟଙ୍କର ବନ୍ୟା । ରୋମାନିଆ, ପୋଲାଣ୍ଡ, ଚେକ୍‌ ରିପବ୍ଲିକ୍‌, ହଙ୍ଗେରୀ, ସ୍ଲୋଭାକିଆ, ଅଷ୍ଟ୍ରିଆ ଆଦି ଦେଶର ଅବସ୍ଥା ବେହାଲ ହୋଇପଡ଼ିଛି । ବନ୍ୟାରେ ଏ ପର୍ଯ୍ୟନ୍ତ ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନେକ ସହର ଏବଂ ଗାଁ ବନ୍ୟା ପାଣିରେ ବୁଡ଼ିଯାଇଛି ।

ସ୍ଥିତି ଏପରି ହୋଇଛି ଯେ ରୋମାନିଆରୁ ପୋଲାଣ୍ଡ ପାଖାପାଖି ୧୨୦୦ କିଲୋମିଟର ଦୂର ଯାଏ କେବଳ ପାଣି ହିଁ ପାଣି ଦେଖାଯାଉଛି । ବନ୍ୟା ଯୋଗୁ ମଧ୍ୟ ୟୁରୋପର ୬ଟି ଦେଶରେ ନାନା କ୍ଷୟକ୍ଷତି ଘଟିଛି । ବିନାଶର ତାଣ୍ଡବ ରଚିଛି ଏହି ଭୟଙ୍କର ବନ୍ୟା । ଚେକ୍‌ ରିପବ୍ଲିକ ଓ ପୋଲାଣ୍ଡର ସୀମାବର୍ତ୍ତୀ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଅନେକ ଐତିହାସିକ ସ୍ଥଳୀ ବର୍ବାଦ ହୋଇଯାଇଛି । ବ୍ରିଜ୍‌ ଭାଙ୍ଗିଯାଇଥିବା ବେଳେ ଘର ଭୁଶୁଡ଼ି ପଡ଼ିଛି ଏବଂ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି ।

ରୋମାନିଆ ଓ ପୋଲାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଅଷ୍ଟ୍ରିଆରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଚେକ୍‌ ରିପବ୍ଲିକରେ ୩ ଜଣ ମୃତ୍ୟୁମୁଖରେ ପଡିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ହଜାର ହଜାର ଲୋକଙ୍କ ଘରେ ବିଜୁଳି ନାହିଁ । ଲୋକେ ଅନ୍ଧାରରେ ରହିଛନ୍ତି ।

ସ୍ଲୋଭାକିଆର ପରିବେଶ ମନ୍ତ୍ରୀ ଟୋମାସ୍‌ ଟରାବା କହିଛନ୍ତି, ଏଠାରେ ଡାନୁବେ ନଦୀର ଜଳସ୍ତର ରାତି ସୁଦ୍ଧା ୩୨.୮୧ ଫୁଟ୍‌ ବଢ଼ିଯାଇଛି । ଏହି କାରଣରୁ ଆସିଥିବା ବନ୍ୟାରେ ପାଖାପାଖି ୧୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ।

ଏହିପରି ହଙ୍ଗେରୀର ଭିସେଗ୍ରାଡ ଓ ଜେନ୍‌ଟେନଡ୍ରେରେ ବ୍ୟାପକ ଧ୍ୱଂସ ଘଟିଛି । ଡାନୁବେ ନଦୀର ବନ୍ୟାକୁ ରୋକିବା ପାଇଁ ମୋବାଇଲ ଡ୍ୟାମ୍‌ ଲଗାଯାଇଛି । ଚେକ୍‌ ରିପବ୍ଲିକରେ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ହେଲିକପ୍ଟରଗୁଡ଼ିକ ଲଗାତାର ଲୋକଙ୍କ ପାଖରେ ରିଲିଫ୍‌ ସାମଗ୍ରୀ ପହଞ୍ଚାଉଛନ୍ତି ଏବଂ ଲୋକଙ୍କୁ ରେସ୍‌କ୍ୟୁ ମଧ୍ୟ କରୁଛନ୍ତି । ଏକ ଆକଳନ ଅନୁସାରେ, ଏଠାରେ ୬୩,୦୪୦ କୋଟି ଟଙ୍କାର କ୍ଷତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like