ବ୍ୟାପକ ହିଂସା ମଧ୍ୟରେ ବର୍ତ୍ତମାନ ବାଂଲାଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ହେତୁ ବାଂଲାଦେଶର ଅନେକ ଅଞ୍ଚଳ ବନ୍ୟାଜଳ ଘେରରେ ରହିଛି । ବନ୍ୟା ସଂସ୍ପର୍ଶରେ ଆସି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଜନଜୀବନ ବ୍ୟାହତ ହୋଇଛି । ଲୋକମାନେ ଖାଦ୍ୟ ଏବଂ ବିଶୁଦ୍ଧ ଜଳ ମଧ୍ୟ ପାଇପାରୁ ନାହାନ୍ତି ।
ରାଜଧାନୀ ଢାକା ଏବଂ ମୁଖ୍ୟ ବନ୍ଦରର ସହର ଚଟଗାଓଁ ମଧ୍ୟରେ ରାଜପଥ ଓ ରେଳ ଲାଇନ ନଷ୍ଟ ହୋଇଯାଇଛି, ଯାହାଦ୍ୱାରା ବନ୍ୟାଞ୍ଚଳରେ ପହଞ୍ଚିବା କଷ୍ଟକର ହୋଇପଡିଛି । ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କକ୍ସ ବଜାର । ପଡୋଶୀ ମିଆଁମାରରୁ ପାଖାପାଖି ୧ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ଏଠାରେ ନିଜର ଘର କରିଛନ୍ତି ।
ବାଂଲାଦେଶ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ ବନ୍ୟା ପ୍ରପୀଡ଼ିତ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ପ୍ରଶାସନ ସମସ୍ତ ଆବଶ୍ୟକ ପଦକ୍ଷେପ ନେଇଛି । ଭବିଷ୍ୟତରେ ଆମେ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ପଡୋଶୀ ଦେଶ ସହ ଆଲୋଚନା ଆରମ୍ଭ କରିଛୁ ବୋଲି ସେ କହିଛନ୍ତି ।
ଯଦି ମୌସୁମୀ ବର୍ଷା ଲାଗି ରୁହେ, ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ବାଂଲାଦେଶ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଅଧିକାରୀ କହିଛନ୍ତି ଯେ ବନ୍ୟା ପ୍ରଭାବିତ ୧୧ଟି ଜିଲ୍ଲାରେ ପ୍ରାୟ ୩୫୦୦ ରିଲିଫ କ୍ୟାମ୍ପରେ ଚାରି ଲକ୍ଷରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ଚିକିତ୍ସା ପାଇଁ ପ୍ରାୟ ୭୫୦ ଡାକ୍ତରୀ ଦଳ ଉପସ୍ଥିତ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ସେନା, ବାୟୁସେନା, ନୌସେନା ଏବଂ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ସହାୟତା କରୁଛନ୍ତି ।
ସୂଚନାଥାଉ କି, ବାଂଲାଦେଶରେ ସଂରକ୍ଷଣ ବିରୋଧରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ହସିନା ଭାରତ ଚାଲି ଆସିଥିଲେ ।