ନ୍ୟୁୟର୍କ : ଝଡ଼ବାତ୍ୟା ‘ଫ୍ଲୋରେନ୍ସ’ ସ୍ଥଳଭାଗ ଛୁଇଁଛି । ଉତ୍ତର କାରୋଲିନାରେ ଏବେ ତାଣ୍ଡବ ରଚିଛି ଫ୍ଲୋରେନ୍ସ । ଆଜି ଏହି ବାତ୍ୟା ଆମେରିକାର ଉତ୍ତର କାରୋଲିନାର ରାଇଟ୍ସଭିଲ ବେଳାଭୂମି ଠାରେ ପହଞ୍ଚିବା ପରେ ପ୍ରବଳ ବର୍ଷ ଓ ପବନ ହୋଇଛି । ଘଣ୍ଟାକୁ ପ୍ରାୟ ୧୫୦ କିଲୋମିଟର ବେଗରେ ପବନ ବହୁଛି । ଘର ଭୁଶୁଡ଼ିବା ସହ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି । ବିମାନ ସେବା, ରାସ୍ତାରେ ଯାତାୟାତ ସାଙ୍ଗକୁ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି । ବାତ୍ୟା ସ୍ଥଳଭାଗ ଛୁଇଁବାର ବହୁ ପୂର୍ବରୁ ବିପଦ ଥିବା ଜାଗାଗୁଡ଼ିକରୁ ଲୋକଙ୍କୁ ହଟିଯିବା ପାଇଁ ସରକାର ସତର୍କ କରାଇ ଦେଇଥିଲେ । ତଥାପି ଉପକୂଳ ଅଞ୍ଚଳରୁ ଅନେକ ଲୋକଙ୍କୁ ଉଦ୍ଧାର କରାଯାଉଛି ।
ଗୋଟିଏ ହୋଟେଲ ଭୁଶୁଡ଼ି ପଡ଼ିବାରୁ କ୍ଷୟକ୍ଷତି ହୋଇଛି । ତେବେ ଏଠାରୁ ପ୍ରାୟ ୬୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ଡ଼ିଜଣାପଡ଼ିଛି । ପାଣିପାଗ ବିଭାଗ କହିଛି ଏଇ ଦୁଇ ଦିନ ଭିତରେ ୮ ମାସର ବର୍ଷା ହେବ । ବର୍ତ୍ତମାନ ସମୁଦ୍ରରେ ବଡ଼ ବଡ଼ ଜୁଆର ଉଠୁଛି । ଆଗକୁ ଏହା ଆହୁରି ଭୟାନକ ରୂପ ନେଇ ପାରେ । ତେବେ ପୂର୍ବାନୁମାନ ଅନୁସାରେ ଫ୍ଲୋରେନ୍ସର ପ୍ରଭାବ ଶନିବାର ରାତି ପର୍ଯ୍ୟନ୍ତ ରହିବ ।
୨୫୫ କିମି ବେଗରେ ଆସୁଛି ‘ମାଙ୍ଗଖୁଟ୍’
ସେପଟେ ଏକ ସୁପର ଟାଇଫୁନ୍ ଫିଲିପାଇନ୍ସ ଆଡ଼କୁ ମୁହାଁଇଛି । ୨୫୫ କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡ଼କୁ ଗତି କରୁଛି । ଯାହାର ନାଁ ରହିଛି ‘ମାଙ୍ଗଖୁଟ୍’ । ମାଙ୍ଗଖୁଟ୍ ଯୋଗୁଁ ପ୍ରାୟ ୫୦ ଲକ୍ଷ ଲୋକ ପ୍ରଭାବିତ ହୋଇ ପାରନ୍ତି । ଶନିବାର ଦିନ ଏହି ଟାଇଫୁନ୍ ଲୁଜନ୍ ଦ୍ବୀପରେ ସ୍ଥଳଭାଗକୁ ଛୁଇଁବ ବୋଲି କୁହାଯାଉଛି । ଏହା ପୂର୍ବରୁ ଦେଶରେ ସେନା ବହେିନୀକୁ ସତର୍କ କରି ଦିଆଯାଇଛି ।
ଶିକ୍ଷାନୁଷ୍ଠାନ ସବୁକୁ ବନ୍ଦ ଘୋଷଣା କରାଯାଇଥିବା ବେଳେ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଏହି ଝଡ଼ର ପ୍ରଭାବରେ ସମୁଦ୍ରରେ ୭ ଫୁଟ ଉଚ୍ଚର ଜୁଆର ଆସିବ । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିବାର ମଧ୍ୟ ସମ୍ଭାବନା ରହିଛି । ୨୦୧୩ରେ ସୁପର ଟାଇଫୁନ୍ ‘ହାୟାନ’ ଯୋଗୁଁ ଫିଲିପାଇନ୍ସରେ ପ୍ରାୟ ୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । ତେବେ ‘ମାଙ୍ଗଖୁଟ୍’ ଏଠାକାର ବାସିନ୍ଦାଙ୍କୁ ପ୍ରସ୍ତୁତ ହେବାକୁ ବି ସମୟ ଦେଇ ନାହିଁ । ତଥାପି ବିପଦ ଆଶଙ୍କା ଥିବା ଜାଗାରୁ ହଜାର ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳରେ ଆଣି ରଖା ଯାଇଛି ।