ଉତ୍ତରାଖଣ୍ଡ : ସତ ହେଲା ଫ୍ଲାଇଂ କାର ସ୍ୱପ୍ନ । ଉତ୍ତରାଖଣ୍ଡର ଜଣେ ଯୁବକ ନିର୍ମାଣ କରିଛନ୍ତି ଉଡ଼ନ୍ତା କାର୍ । ଆଲମୋଡାର ଯୁବ ବୈଜ୍ଞାନିକ ରବି ଟମଟା ଏକ ସିଙ୍ଗଲ୍-ସିଟର ବୈଦ୍ୟୁତିକ ଉଡ଼ନ୍ତା ପ୍ରୋଟୋଟାଇପ କାର୍ ନିର୍ମାଣ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଡ୍ରୋନ ପ୍ରଯୁକ୍ତି ବ୍ୟବହାର କରି ଆକାଶରେ ଉଡି ପାରୁଥିବା ଏହି କାରର ନାମ HAPIDA SKYNeX ରଖାଯାଇଛି । ଆଲମୋଡାର ଏକ ଖୋଲା ପଡ଼ିଆରେ ଏହି କାର୍ ର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ହୋଇଥିଲା । ଯେଉଁଠାରେ ଏହା ସଫଳତାର ସହ ଉଡ଼ିଥିଲା । ପାହାଡ଼ିଆ ଅଞ୍ଚଳରେ ଯିବାଆସିବାକୁ ସହଜ କରିବା ପାଇଁ ଏହି କାର ସହାୟକ ହେବ ।
ରବି ନିଜ ଷ୍ଟାର୍ଟଅପ୍ କମ୍ପାନୀ ସହାୟତାରେ ଡ୍ରୋନ ମୋଟର ଏବଂ ଇଲେକ୍ଟ୍ରୋନିକ୍ସ ଅପଗ୍ରେଡ୍ କରି ଏହି ଉଡନ୍ତା କାର ନିର୍ମାଣ କରିଛନ୍ତି । ଏହି କାର ସମ୍ପୂର୍ଣ୍ଣ ବ୍ୟାଟେରୀ ଚାଳିତ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ଏହାର ବ୍ୟବହାର ଇକୋ-ଫ୍ରେଣ୍ଡଲି ଜୋନଗୁଡିକରେ ହୋଇପାରିବ । ଭବିଷ୍ୟତରେ ଏହି ପ୍ରଯୁକ୍ତି ମାଧ୍ୟମରେ ଦୁର୍ଗମ ପାର୍ବତ୍ୟ ଅଞ୍ଚଳକୁ ଯୋଗାଯୋଗ, ମେଡିକାଲ୍ ଇମରଜେନ୍ସି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ସମୟରେ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା ସହଜ ହେବ । ଏବେ ଏହି କାର କେବଳ ଏକ ପ୍ରୋଟୋଟାଇପ୍ ପର୍ଯ୍ୟାୟରେ ରହିଛି । ବ୍ୟବସାୟିକ ଭାବେ ବଜାରକୁ ଆସିବା ପୂର୍ବରୁ ଏହି ଫ୍ଲାଇଂ କାରକୁ DGCA ଠାରୁ ସୁରକ୍ଷା ଯାଞ୍ଚ ଏବଂ ଅନୁମତି ମିଳିବା ଆବଶ୍ୟକ ବୋଲି ଜଣାପଡିଛି ।