କୋର୍ଟଙ୍କ ନୂଆ ରାୟ: ଆଖି ମାରିବା କି ଫ୍ଲାଇଙ୍ଗ୍ କିସ୍ ଦେବା ମଧ୍ୟ ଯୌନ ଉତ୍ପୀଡ଼ନ ! ଯୁବକଙ୍କୁ ପଠାଇ ଦିଆଗଲା ଜେଲ୍

ନୂଆଦିଲ୍ଲୀ: କାହାକୁ ଦେଖି ଆଖି ମାରିବା ଏବଂ ଫ୍ଲାଇଙ୍ଗ୍ କିସ୍ ଦେବା ବି ଯୌନ ଉତ୍ପୀଡ଼ନ ଶ୍ରେଣୀରେ ଆସିଥାଏ। ପୋକ୍ସୋ କୋର୍ଟ ଏହି ମାମଲାରେ ୨୦ ବର୍ଷୀୟ ଜଣେ ଅଭିଯୁକ୍ତ ଯୁବକଙ୍କୁ ୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହିତ ତାଙ୍କ ଉପରେ ୧୫,୦୦୦ ଟଙ୍କା ଜରିମାନା ବି ଲଗାଇଛନ୍ତି। କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି କି, ଯୁବକ ଜଣକ ଜଣେ ନାବାଳିକାଙ୍କୁ ଦେଖି ଆଖି ମାରିବା ସହ ଫ୍ଲାଇଙ୍ଗ୍ କିସ୍ କରିଥିଲେ, ଯାହାକୁ ଯୌନ ଉତ୍ପୀଡ଼ନ ବୋଲି ଗଣାଯିବ। କୋର୍ଟ ଅଭିଯୁକ୍ତଙ୍କ ଉପରେ ଲଗାଇଥିବା ୧୫,୦୦୦ ଟଙ୍କା ଜରିମାନା ମଧ୍ୟରୁ ୧୦ ହଜାର ଟଙ୍କା ପୀଡ଼ିତା ପକ୍ଷଙ୍କୁ ଦିଆଯିବ।
ରିପୋର୍ଟ ମୁତାବକ, ୧୪ ବର୍ଷୀୟା ପୀଡ଼ିତା କୋର୍ଟଙ୍କୁ କହିଛନ୍ତି କି, ୨୯ ଫେବୃଆରୀରେ ଯେତେବେଳେ ସେ ନିଜ ଭଉଣୀଙ୍କ ସହିତ କେଉଁଆଡ଼େ ଯାଉଥିଲେ, ସେତେବେଳେ ପଡ଼ୋଶୀ ଘରର ଯୁବକ ତାଙ୍କୁ ଦେଖି ଆଖି ମାରିଥିଲେ ଏବଂ ତାଙ୍କ ଆଡ଼କୁ ଫ୍ଲାଇଙ୍ଗ୍ କିସ୍ କରିଥିଲେ। ପୂର୍ବରୁ ମଧ୍ୟ ସେ ତାଙ୍କ ସହିତ ଏଭଳି ହରକତ କରିଥିଲେ। ବୁଝାଶୁଝା ସତ୍ତ୍ୱେ ତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସି ନ ଥିଲା।
ପୀଡ଼ିତାଙ୍କ ମା’ କହିଛନ୍ତି, ଯୁବକଙ୍କ ହରକତ ବିଷୟରେ ଝିଅ ତାଙ୍କୁ ଆସି ଜଣାଇଥିଲା। ସେ ଅନେକ ଥର ଯୁବକଙ୍କୁ ଏମିତି ନ କରିବାକୁ କହିଥିଲେ। କିନ୍ତୁ ଯୁବକ ଜଣକ ନ ସୁଧୁରିବାରୁ ତାଙ୍କ ବିରୋଧରେ ପୋଲିସରେ ଏତଲା ଦିଆଯାଇଥିଲା।
ସେପଟେ କୋର୍ଟରେ ଅଭିଯୁକ୍ତଙ୍କ ପକ୍ଷ ଅଭିଯୋଗ ଆଣି କହିଥିଲେ, ପୀଡ଼ିତାଙ୍କ ଭଉଣୀ ଏବଂ ଯୁବକଙ୍କ ମଧ୍ୟରେ ୫୦୦ ଟଙ୍କାର ସର୍ତ୍ତ ଲାଗିଥିଲା। ଏହି ସର୍ତ୍ତ ଯୋଗୁ ଯୁବକ ଜଣକ ନାବାଳିକାଙ୍କୁ ଦେଖି ଆଖି ମାରିଥିଲେ। କିନ୍ତୁ ଏହି ଅଭିଯୋଗକୁ ମିଥ୍ୟା ବୋଲି କହି ଖଣ୍ଡନ କରିଥିଲେ ପୀଡ଼ିତା ନାବାଳିକା। ଯୁବକ ଲଗାତାର ଏହିଭଳି ବ୍ୟବହାର ତାଙ୍କ ସହିତ କରି ଆସୁଥିଲେ ବୋଲି ପୀଡ଼ିତା କୋର୍ଟରେ କହିଥିଲେ।