ବଜେଟ ପୂର୍ବରୁ ମଧୁବନୀ ଆର୍ଟ ଶାଢ଼ି ପିନ୍ଧି ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଦହି ଚିନି ଖୁଆଇଲେ ରାଷ୍ଟ୍ରପତି

ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଟିମ୍ ସହିତ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ବଜେଟ ଉପସ୍ଥାପନ କରିବା ପାଇଁ ଅନୁମତି ମାଗିଥିଲେ । ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେଇ ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇ ଶୁଭକାମନା ଜଣାଇଥିଲେ । ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ।

ପ୍ରତିବର୍ଷ ବଜେଟ୍ ଦିନରେ ତାଙ୍କର ପୋଷାକ ଭିନ୍ନ ଥାଏ । ତେବେ ବଜେଟ ଉପସ୍ଥାପନ କରିବା ବେଳେ ନିର୍ମଳା ସୀତାରମଣ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।  ଏଥର ମଧ୍ୟ ସେ ଏକ ଭିନ୍ନ ଷ୍ଟାଇଲରେ ନଜର ଆସିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧୁବନୀ କାରିଗରୀ ଶାଢ଼ିରେ ବହୁତ ସୁନ୍ଦର ଦିଶୁଛନ୍ତି । ଏହି ଶାଢ଼ିକୁ ବିହାରର ପଦ୍ମ ପୁରସ୍କାର ପାଇଥିବା ଦୁଲାରୀ ଦେବୀ ତାଙ୍କୁ ଉପହାର ଦେଇଥିଲେ ।

ଦୁଲାରୀ ଦେବୀ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାରର ବିଜେତା । ଯେବେ ଅର୍ଥମନ୍ତ୍ରୀ ମିଥିଳା ଆର୍ଟ ଇନଷ୍ଟିଚ୍ୟୁଟରେ କ୍ରେଡିଟ ଆଉଟରିଚ୍ ପାଇଁ ମଧୁବନୀ ଗସ୍ତ କରିଥିଲେ, ସେହି ସମୟରେ ସେ ଦୁଲାରୀ ଦେବୀଙ୍କୁ ଭେଟିଥିଲେ ଏବଂ ବିହାରରେ ମଧୁବନୀ କଳା ଉପରେ ଗଭୀର ଭାବେ ଆଲୋଚନା କରିଥିଲେ । ସେହି ସମୟରେ ଦୁଲାରୀ ଦେବୀ ଏହି ଶାଢ଼ିକୁ ଅର୍ଥମନ୍ତ୍ରୀଙ୍କୁ ଦେଇଥିଲେ, ଯାହାକୁ ସେ ଆଜିର ବଜେଟ୍ ଦିବସରେ ପିନ୍ଧିଛନ୍ତି ।

ଆଜିର ବଜେଟ ଉପରେ ସାରା ଭାରତର ନଜର ରହିଥିବା ବେଳେ କୃଷି, ସ୍ବାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦେଇପାରନ୍ତି ମୋଦି ସରକାର । ଏଥିସହ କୃଷକଙ୍କ ପାଇଁ ବଡ ଉପହାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

Also Read : ଆଜି କେନ୍ଦ୍ର ବଜେଟ: ଦିନ ୧୧ଟାରେ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ