ଭେଣ୍ଟିଲେଟରରେ ଲୋକଗାୟିକା ଶାରଦା ସିହ୍ନା, କଲ୍ କରି ସ୍ୱାସ୍ଥ୍ୟ ଅପଡେଟ୍ ନେଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତର ପ୍ରସିଦ୍ଧ ଲୋକଗାୟିକା ଶାରଦା ସିହ୍ନା ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ସୋମବାର ରାତିରେ ପୁଣିଥରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନଙ୍କ ସହ ଫୋନରେ କଥା ହୋଇ ସ୍ୱାସ୍ଥ୍ୟ ଅପଡେଟ୍ ନେଇଛନ୍ତି । ପିଏମ୍ ମୋଦି ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

ଲୋକଗାୟିକା କ୍ୟାନ୍ସରରେ ପୀଡ଼ିତ । ସ୍ୱାସ୍ଥ୍ୟ ଜଟିଳତା ହେତୁ ସେ ଅକ୍ସିଜେନ ସପୋର୍ଟରେ ଅଛନ୍ତି । ୨୦୧୭ରୁ ସିହ୍ନା ‘ମଲ୍ଟିପଲ୍ ମାୟଲୋମା’ରେ ପୀଡ଼ିତ ଅଛନ୍ତି, ଯାହାକି ଏକ ପ୍ରକାରର ବୋନ୍ ମାରୋ କ୍ୟାନ୍ସର ।

ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ତାଙ୍କର ଚିକିତ୍ସା ଚାଲିଛି । ଏକ ଡାକ୍ତରୀ ଟିମଙ୍କ ତତ୍ତ୍ୱାବଧାନରେ ସେ ଅଛନ୍ତି ।

ଭାରତର ଜଣେ ଲୋକପ୍ରିୟ ଲୋକଗାୟିକା ହେଉଛନ୍ତି ଶାରଦା ସିହ୍ନା । ସେ ମୈଥିଲି, ଭୋଜପୁରୀ ଓ ମଗହୀ ଭାଷାରେ ଅନେକ ଗୀତ ଗାଇଛନ୍ତି । ଶାରଦା ସିହ୍ନାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ନିକଟରେ ତାଙ୍କ ସ୍ୱାମୀ ବ୍ରଜ କିଶୋର ସିହ୍ନାଙ୍କ ନିଧନ ହୋଇଥିଲା ।

ଗାୟିକାଙ୍କ ପୁଅ ଅଂଶୁମାନ ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଅପଡେଟ୍ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ । ଡାକ୍ତରମାନେ ଚେଷ୍ଟା ଜାରି ରଖିଛନ୍ତି । ଏହା ସହିତ ସେ ମା’ଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।

You might also like