କୁକୁର ଭୟରେ ତିନି ମହଲାରୁ ଡେଇଁ ପଡିଲା ଫୁଡ୍‌ ଡେଲିଭରି ବୟ, ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଭର୍ତ୍ତି

ହାଇଦ୍ରାବାଦ : କୁକୁର ଭୟରେ ଜଣେ ଫୁଡ ଡେଲିଭରି ବୟ ୩ ମହଲାରୁ ଡେଇଁ ଗୁରୁତର ଆହତ ହୋଇଛନ୍ତି । ମହମ୍ମଦ ରିଜଓ୍ଵାନ (୨୩) ନାମକ ଏହି ସ୍ୱିଗୀ ବୟ ଜଣକ ଫୁଡ ଡେଲିଭରି ଦେବା ପାଇଁ ବଞ୍ଜାରା ହିଲ ଠାରେ ଥିବା ଏକ ୩ ମହଲା ଆପାର୍ଟମେଣ୍ଟକୁ ଯାଇଥିବା ବେଳେ ଏକ ପୋଷା କୁକୁର ଭୁକୁବାକୁ ଲାଗିଥିଲା । ଫଳରେ ସେ ସେହି କୋଠା ଉପରୁ ଡେଇଁପଡିଥିଲେ । ଯାହାଦ୍ୱାରା ସେ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ଡେଲିଭରି ବୟ ଲୁମ୍ବିନ ରକ୍‌ ଆପାର୍ଟମେଣ୍ଟର ୩ୟ ମହଲାକୁ ଖାଦ୍ୟ ପାର୍ସଲ ଦେବାକୁ ଯାଇଥିଲେ । ଯେତେବେଳେ ସେ ଦୁଆରରେ ନକ୍‌ କଲେ ଜର୍ମାନ ସେଫର୍ଡ ଭୁକିବା ସହ ତାଙ୍କ ଆଡକୁ ମାଡି ଆସିଥିଲା ।

ଫଳରେ ଭୟରେ ସେ ୩ୟ ମହଲାରୁ ଡେଇଁ ପଡି ଗୁରୁତର ଭାବେ ଆହତ ହୋଇଥିଲେ । ଫ୍ଲାଟ ମାଲିକ ଶୋବାନ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିଜାମ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ହସପିଟାଲରେ ଭର୍ତ୍ତି କରିଥିଲେ । ରିଜଓ୍ଵାନ ଭାଇ ମହମ୍ମଦ ଖାଜା ଏନେଇ ବଞ୍ଜାରା ହିଲ ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଛନ୍ତି ।

Leave A Reply

Your email address will not be published.