ବିଜେପି ସାଂସଦଙ୍କ ପାଇଁ ୨ ପତ୍ନୀ ରଖିଲେ କରଓ୍ଵା ଚୌଥ ବ୍ରତ; ଜଣେ ଶିକ୍ଷୟିତ୍ରୀ ତ ଅନ୍ୟ ଜଣେ ଗ୍ୟାସ୍‌ ଏଜେନ୍ସି ମାଲିକାଣୀ!

ବିବାହିତା ନାରୀଙ୍କ ପର୍ବ କରଓ୍ଵା ଚୌଥ ଗୁରୁବାର ସାରା ଦେଶରେ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଏ ଭିତରେ ରାଜସ୍ଥାନର ଜଣେ ସାଂସଦ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଉଦୟପୁରରୁ ବିଜେପି ସାଂସଦ ଥିବା ଅର୍ଜୁନଲାଲ ମିଣା କରଓ୍ଵା ଚୌଥ ପର୍ବ ନିଜର ଦୁଇ ପତ୍ନୀଙ୍କ ସହିତ ପାଳନ କରିଥିଲେ। ୫୮ ବର୍ଷୀୟ ମିଣା ଦୁଇ ଜଣଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ପତ୍ନୀ ହେଲେ ମୀନାକ୍ଷୀ ଓ ରାଜକୁମାରୀ। ଏମାନେ ଦୁହେଁ ହେଉଛନ୍ତି ଦୁଇ ଭଉଣୀ।

ଦୁଇ ପତ୍ନୀଙ୍କଠାରୁ ମିଣାଙ୍କର ୨ ସନ୍ତାନ ଅଛନ୍ତି, ଗୋଟିଏ ପୁଅ ଓ ଗୋଟିଏ ଝିଅ। ତେବେ ସାଂସଦଙ୍କର ପ୍ରଥମ ପତ୍ନୀ ରାଜକୁମାରୀ ଶିକ୍ଷୟିତ୍ରୀ ଥିବା ବେଳେ ଦ୍ୱିତୀୟ ପତ୍ନୀ ମୀନାକ୍ଷୀ ହେଉଛନ୍ତି ଏକ ଗ୍ୟାସ୍‌ ଏଜେନ୍ସିର ମାଲିକାଣୀ। କହି ରଖୁଛୁ, ଲୋକସଭା ନିର୍ବାଚନ ୨୦୧୯ରେ ଉଦୟପୁର ସଂସଦୀୟ କ୍ଷେତ୍ରରୁ ଜନତା ଅର୍ଜୁନଲାଲ ମିଣାଙ୍କୁ ଚୟନ କରିଥିଲେ। ସେତେବେଳେ ସେ ବିଜେପିର ୨୫ ଜଣ ସାଂସଦଙ୍କ ମଧ୍ୟରେ ସାମିଲ ଥିଲେ। ଏହାପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ସେ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ।

ରାଜସ୍ଥାନର ମୋହନଲାଲ ସୁଖାଡ଼ିଆ ବିଶ୍ୱବିଦ୍ୟାଳୟରୁ ଏମ୍‌ କମ୍‌ ସହ ବିଏଡ୍‌ ଏବଂ ଏଲ୍‌ଏଲ୍‌ବି କରିଥିବା ଅର୍ଜୁନଲାଲ ୨୦୦୩ରୁ ୨୦୦୮ ମସିହା ପର୍ଯ୍ୟନ୍ତ ବିଧାୟକ ବି ରହିଥିଲେ। ଏହାପରେ ୨୦୧୪ ନିର୍ବାଚନରେ ସେ ଉଦୟପୁରରୁ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ ଏବଂ ପୁଣି ୨୦୧୯ରେ ମଧ୍ୟ ବିଜୟ ହାସଲ କରିଥିଲେ।

କହି ରଖୁଛୁ, ଗୁରୁବାର ଥିଲା କରଓ୍ଵା ଚୌଥ ବ୍ରତ। ସୁହାଗିନୀ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଏହି ବ୍ରତ ରଖିଥିଲେ। ରାତିରେ ଚନ୍ଦ୍ର ଦେଖିବା ପରେ ବ୍ରତ ଭଙ୍ଗ କରିଥିଲେ। ପୂରା ଦିନଯାକ ଉପବାସରେ ରହିବା ପରେ ରାତିରେ ଚନ୍ଦ୍ର ଉଇଁବାକୁ ବ୍ରତଧାରୀମାନେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପଡ଼ିଥାଏ କରଓ୍ଵା ଚୌଥ ବ୍ରତ। ଏହି ବ୍ରତକୁ ଖୋଲିବା ପାଇଁ ଚନ୍ଦ୍ର ଦର୍ଶନ ବହୁତ ଜରୁରୀ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଅକ୍ଟୋବର ୧୩ରେ କରଓ୍ଵା ଚୌଥର ଜହ୍ନ ରାତି ୮ଟା ୧୬ ମିନିଟ୍‌ରେ ଉଇଁଥିଲା।

Leave A Reply

Your email address will not be published.