କିଏ ପ୍ରସ୍ତୁତ କରୁଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକା ? ଗୋଟେ ତାଲିକାରେ ୪ର୍ଥ ସ୍ଥାନ, ଅନ୍ୟରେ ଶ୍ରେଷ୍ଠ ୧୦ରୁ ବାଦ୍ ପଡିଛି ଭାରତ

ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତ ଚତୁର୍ଥ ସ୍ଥାନ ପାଇଛି । ଏହି ତାଲିକା ଶକ୍ତିଶାଳୀ ଦେଶର ସୈନ୍ୟଶକ୍ତି ଅନୁସାରେ ପ୍ରସ୍ତୁତ କରାଯାଏ । ଅର୍ଥାତ ସମଗ୍ର ବିଶ୍ୱରେ ସୈନ୍ୟଶକ୍ତିରେ ଭାରତ ଚତୁର୍ଥ ସ୍ଥାନରେ ଅଛି । ପ୍ରଥମରେ ଆମେରିକା, ଦ୍ୱିତୀୟରେ ରୁଷ ଏବଂ ତୃତୀୟ ସ୍ଥାନରେ ଚୀନ୍ ରହିଛି । ଗତବର୍ଷ ପାକିସ୍ତାନ ୯ମ ସ୍ଥାନରେ ଥିଲା ବେଳେ ଏଥର ୧୨ତମ ସ୍ଥାନକୁ ଖସିଛି ।

ଏବେ ଫୋବର୍ସ ଦ୍ବାରା ଆଉ ଏକ ନୂଆ ଲିଷ୍ଟ ପ୍ରକାଶ ପାଇଛି । ଶ୍ରେଷ୍ଠ ୧୦ ସବୁଠାରୁ ଶକ୍ତିଶାଳୀ ଦେଶ ପ୍ରକାଶ ପାଇଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ତାଲିକାରେ ଭାରତକୁ ସ୍ଥାନ ମିଳିନି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଭାରତ ଭଳି ସବୁଠାରୁ ଅଧିକ ଜନସଂଖ୍ୟା, ଚତୁର୍ଥ ସବୁଠୁ ଅଧିକ ସୈନ୍ୟ ଶକ୍ତି, ପଞ୍ଚମ ବଡ ଅର୍ଥ ବ୍ୟବସ୍ଥା ଦେଶ କିଭଳି ଶ୍ରେଷ୍ଠ ୧୦ ଦେଶରୁ ବାଦ୍ ପଡିପାରେ ବୋଲି ପ୍ରଶ୍ନ ଉଠିଛି ।

ତେବେ ଫୋବର୍ସ ୨୦୨୫ର ୧୦ଟି ସୁବଠାରୁ ଶକ୍ତିଶାଳୀ ଦେଶ ଲିଷ୍ଟ ଜାରି କରିଛି । ଏଥିରେ ଆମେରିକା ୩୦.୩୪ ଟ୍ରିଲିଅନ ଡଲାର ଜିଡିପି ସହିତ ପ୍ରଥମ ସ୍ଥାନରେ ରହିଛି । ଏହାପରେ ଦ୍ବିତୀୟ ସ୍ଥାନରେ ଚୀନ ରହିଛି । ୩ୟ ସ୍ଥାନରେ ରୁଷ ରହିଥିବା ବେଳେ ଏହାପରେ ୟୁକେ, ଜର୍ମାନୀ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଜାପାନ, ସାଉଦି ଆରବ ଏବଂ ଇସ୍ରାଏଲ ସ୍ଥାନ ପାଇଛି । ଟପ୍ ୧୦ ଶକ୍ତିଶାଳୀ ଦେଶ ମଧ୍ୟରେ ଭାରତ ସ୍ଥାନ ପାଇନାହିଁ ।

ଦୁନିଆର ଶ୍ରେଷ୍ଠ ୧୦ ଦେଶର ଲିଷ୍ଟ ଫୋବର୍ସ ଦ୍ବାରା ଜାରି କରାଯାଏ । ପ୍ରତିବର୍ଷ ସଂସ୍ଥା ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଏ । ଏହାଛଡା ଦୁନିଆର ସବୁଠାରୁ ଧନୀ ଲୋକ, ଦୁନିଆର ସବୁଠାରୁ ଶକ୍ତିଶାଳୀ ଲୋକ ଏବଂ ସବୁଠାରୁ ବଡ଼ କମ୍ପାନୀ ଲିଷ୍ଟ ଫୋବର୍ସ ଦ୍ବାରା ଜାରି କରାଯାଏ ।

ସୂଚନାଯୋଗ୍ୟ, ପ୍ରାୟ ୬୦ରୁ ଅଧିକ ସାମରିକ ମାନଦଣ୍ଡକୁ ଆଧାର କରି ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି । ସେଥିରେ ପ୍ରତିରକ୍ଷା ଜ୍ଞାନକୌଶଳ, ଆର୍ଥିକ ଶକ୍ତି, ଲଜିଷ୍ଟିକ କ୍ଷମତା, ଭୌଗୋଳିକ ସ୍ଥିତି, ସୈନ୍ୟ ୟୁନିଟ୍ ଓ ରଣନୀତିକ ଦକ୍ଷତା ଭଳି ମାନଦଣ୍ଡ ରହିଛି । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର, ଜଳ-ସ୍ଥଳ-ଆକାଶରେ ସାମରିକ ଶକ୍ତି ବୃଦ୍ଧି ଯୋଗୁ ଭାରତର ସ୍ଥିତିରେ ଉନ୍ନତି ଘଟିଛି । ତେବେ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ, ଜାପାନ, ତୁର୍କୀ ଓ ଇଟାଲୀ ।

Also Read : ଭାରତ ବିପକ୍ଷରେ ଟ୍ରମ୍ପଙ୍କ ବଡ଼ ଆକ୍ସନ, ବେଆଇନ ଭାବେ ରହୁଥିବା ଭାରତୀୟକୁ ଧରି ଉଡାଣ ଭରିଲା c-17 ବିମାନ

You might also like