କୋଲକାତା ହସ୍ପିଟାଲରେ ଭଙ୍ଗାରୁଜା ଘଟଣାକୁ ନେଇ ତାତିଲା FORDA, ପୁଣି କଲା ହଡ଼ତାଳ ଘୋଷଣା

କୋଲକାତାରେ ଗତ ରାତିରେ ଡାକ୍ତରଙ୍କ ପ୍ରଦର୍ଶନ ସମୟରେ ହୋଇଥିବା ଆକ୍ରମଣ ଓ ଭଙ୍ଗାରୁଜା ଘଟଣାକୁ ନେଇ ତାତିଲା ଫୋର୍ଡା (ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍) । ଫୋର୍ଡା ପୁଣି ଧର୍ମଘଟ କରିବାକୁ ଘୋଷଣା କରିଛି । ରେସିଡେଣ୍ଟ ଡାକ୍ତର ସଙ୍ଗଠନ ଦୁଇ ଦିନ ପୂର୍ବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ଧର୍ମଘଟ ଶେଷ କରିଥିଲା ।

ପ୍ରଦର୍ଶନ ସମୟରେ ଭଙ୍ଗାରୁଜା ପରେ ଫୋର୍ଡା ଆଜି ବୟାନ ଜାରି କରି କହିଛି ଯେ ଗତ ରାତିରେ ପଶ୍ଚିମବଙ୍ଗରେ ଯେଉଁଭଳି ଆକ୍ରମଣ କରାଯାଇଛି, ତାହା ପୁଣି ଡାକ୍ତରଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପାଇଁ ଫୋର୍ଡା ପୁଣି ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ।

ଅଗଷ୍ଟ ୧୩ରେ ଫୋର୍ଡାର ଏକ ପ୍ରତିନିଧି ଦଳ ଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବା ପରେ ଧର୍ମଘଟ ବନ୍ଦ କରିବାକୁ ଘୋଷଣା କରିଥିଲା । ଏହାକୁ ଦେଶର ଅନ୍ୟ ମେଡିକାଲ ଆସୋସିଏସନ ଏବଂ ସଙ୍ଗଠନ ଖୁବ୍‌ ବିରୋଧ କରିଥିଲେ ।

ଡାକ୍ତରୀ ସଙ୍ଗଠନଗୁଡ଼ିକର ଅସନ୍ତୋଷ ପରେ ଫୋର୍ଡା ନିଜର ନିଷ୍ପତ୍ତିକୁ ନେଇ ଏକପ୍ରକାର ଅଲଗା ହୋଇଯାଇଥିଲା । ପଶ୍ଚିମବଙ୍ଗରେ ଦୁଷ୍କର୍ମ ଏବଂ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଫୋର୍ଡା ହିଁ ପ୍ରଥମେ ଧର୍ମଘଟ ଘୋଷଣା କରିଥିଲା ।

ବର୍ତ୍ତମାନ ହସ୍ପିଟାଲରେ ଭଙ୍ଗାରୁଜା ଘଟଣା ପରେ ଫୋର୍ଡା କହିଛି କି, ସରକାର କାମ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିପାରୁ ନାହାନ୍ତି । ଏହି ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ହିଁ ବିଫଳ ରହିଛନ୍ତି, ଯାହାକୁ ଆମେ କଡ଼ା ନିନ୍ଦା କରୁଛୁ ।

You might also like