ଭାରତୀୟ ଟ୍ରେନର ଶୌଚାଳୟ ଭିଡିଓ ଭାଇରାଲ କଲେ ବିଦେଶିନୀ, ଟ୍ରୋଲ କଲେ ଲୋକେ

ପ୍ରତି ବର୍ଷ ଆମ ଦେଶକୁ ଲକ୍ଷ ଲକ୍ଷ ବିଦେଶୀ ଆସନ୍ତି । ଦେଶର ଐତିହାସିକ ଜାଗା ବୁଲନ୍ତି, ଦେଶର ସଂସ୍କୃତି ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି । ଅନେକ ବିଦେଶୀ ଲୋକଙ୍କୁ ଭାରତ ଏତେ ପସନ୍ଦ ଆସିଥାଏ ଯେ ଏଠାରେ ସେମାନେ ଲମ୍ବା ସମୟ ଧରି ରହି ମଧ୍ୟ ଯାଆନ୍ତି । ବିଦେଶୀମାନେ ଭାରତର ଐତିହ୍ୟ, ସଂସ୍କୃତିକୁ କେବଳ ଉପଭୋଗ କରନ୍ତି ନାହିଁ, ବରଂ ଭିଡିଓ କରି ସୋସିଆଲ ମିଡିଆରେ ଏହାକୁ ଅପଲୋଡ୍ ମଧ୍ୟ କରନ୍ତି ।

ତେବେ ଏହାରି ଭିତରେ ଜଣେ ବିଦେଶୀ ମହିଳା ଭାରତୀୟ ରେଳର ଶୌଚାଳୟ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ସେ ଟ୍ରେନରେ ଲାଗିଥିବା ୱେଷ୍ଟର୍ଣ୍ଣ ଟଏଲେଟର ସ୍ଥିତି ଦେଖାଇଛନ୍ତି । ଭିଡିଓରେ ଟଏଲେଟ୍ ବହୁତ ଅପରିଷ୍କାର ଥିବା ଦେଖାଯାଉଛି । ଏହାକୁ ସଫାସୁତରା ମଧ୍ୟ କରାଯାଉ ନାହିଁ ।

ଭିଡିଓ ସେୟାର କରିଥିବା ମହିଳାଙ୍କ ପାଖରେ ଆମେରିକା, ରୋମାନିଆ ଓ କାନାଡାର ନାଗରିକତା ରହିଛି । ବିଦେଶିନୀ ଭାରତୀୟ ଟ୍ରେନର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଭାରତର ଟ୍ରେନରେ ୱେଷ୍ଟର୍ଣ୍ଣ ଟଏଲେଟ୍, ସେକେଣ୍ଡ କ୍ଲାସ୍, ଟ୍ରେନ୍ ୧୨୯୯୧’ ।

ଟ୍ରେନର ନମ୍ବରରୁ ଜଣାପଡ଼ିଛି ଯେ ବିଦେଶୀ ମହିଳା ଜଣକ ଉଦୟପୁର ସିଟି-ଜୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ଭିଡିଓ ସେୟାର କରିବା ମାତ୍ରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଭିଡିଓକୁ ଏ ପର୍ଯ୍ୟନ୍ତ ୬୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୫୩ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।

ଅନ୍ୟ ପଟେ ଟ୍ରେନର ଅବ୍ୟବସ୍ଥା ଉପରେ କିଛି କହିବା ପରିବର୍ତ୍ତେ ଲୋକେ ବିଦେଶୀ ମହିଳାଙ୍କୁ ହିଁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଜଣେ କମେଣ୍ଟ କରି ଲେଖିଛନ୍ତି, ‘ଗରିବ ବିଦେଶୀମାନଙ୍କ ପାଇଁ ଏହି ଦେଶ ନୁହେଁ’ । ଆଉ ଜଣେ ଲେଖିଛନ୍ତି, ‘୭୦ ଟଙ୍କା ଟିକେଟରେ ଏମାନଙ୍କୁ ମହାରାଜାଙ୍କ ପରି ସୁବିଧା ଦରକାର’ ।