କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଭାରତୀୟ ସେନା, ରାଡାର ଏବଂ ସନ୍ଧାନୀ କୁକୁର । ମାଟି ତଳୁ ଖୋଜି ଖୋଜି ବାହାର କରୁଛନ୍ତି ଜୀବନ । ଏହାରି ମଧ୍ୟରେ ଭୟଙ୍କର ଭୂସ୍ଖଳନ ପ୍ରଭାବିତ ୱାୟନାଡ଼ରୁ ଆସୁଛି ଗୋଟିଏ ପରେ ଗୋଟିଏ ଛାତିଥରା ଦୃଶ୍ୟ । ପାହାଡ଼ ଶିଖରରୁ ୪ ଶିଶୁଙ୍କ ସମେତ ଏକ ଆଦିବାସୀ ପରିବାରକୁ ଉଦ୍ଧାର କରି ବେଶ ପ୍ରଶଂସା ସାଉଁଟିଛନ୍ତି ବନ ବିଭାଗର ଅଧିକାରୀ ।
ଖୁବ ବିପଦସଙ୍କୁଳ ଓ କଷ୍ଟସାଧ୍ୟ ସ୍ଥାନରେ କାହାକୁ ଖାତିର ନ କରି କାଲପେଟ୍ଟା ରେଞ୍ଜ ବନ ଅଧିକାରୀ କେ. ହାସିସଙ୍କ ନେୃତୃତ୍ବରେ ୪ ଜଣିଆ ଟିମ ଅଭିଯାନରେ ଲାଗିପଡ଼ିଥିଲେ । ୱାୟନାଡ଼ରେ ପାନିଆ ସଂପ୍ରଦାୟର ଏହି ପରିବାର ପାହାଡ଼ ଶିଖରରେ ଥିବା ଗୁମ୍ଫା ନିକଟରେ ଫସି ରହିଥିଲେ । ଗୁମ୍ଫା ବାହାରେ ବିନା ଖାଦ୍ୟ ପାନୀୟରେ ରହିଥିଲେ ୪ଶିଶୁଙ୍କ ସମେତ ସେମାନଙ୍କ ମାଆ । ଆଉ ଗୁମ୍ଫା ଭିତରେ ଥିଲେ ଶିଶୁଙ୍କ ବାପା । ୱାୟନାଡରେ ବନ ଅଧିକାରୀଙ୍କ ଦ୍ୱାରା ୮ ଘଣ୍ଟାର କଠିନ ସଂଘର୍ଷ ପରେ ଏକ ଆଦିବାସୀ ବସ୍ତିରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ରେସକ୍ୟୁ ଅଭିଯାନକୁ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନ ପ୍ରଶଂସା କରିବା ସହ ସଙ୍କଟ ସମୟରେ ଏହା ପ୍ରକୃତ ବଳିଦାନ ବୋଲି କହିଛନ୍ତି ।
ପ୍ରବଳ ବର୍ଷାରେ ପାହାଡ଼ରେ ସାତ କିଲୋମିଟର ଯାତ୍ରା ପାଇଁ ଲାଗି ଥିଲା ସାଢ଼େ ୪ ଘଣ୍ଟାରୁ ଅଧିକ ସମୟ । ପାହାଡ଼ିଆ ଖସଡ଼ା ରାସ୍ତାରେ ଗଛରେ ଦଉଡ଼ି ବାନ୍ଧି ବିପଦପୂର୍ଣ୍ଣ ଯାତ୍ରା ପରେ ବନବିଭାଗର ଟିମ ଗୁମ୍ଫା ନିକଟରେ ପହଞ୍ଚିଥିଲା । ସେତେବେଳକୁ ବିନା ଖାଦ୍ୟରେ ଅବଶ ହୋଇପଡ଼ିଥିଲେ ୪ ଶିଶୁ । ବନ ବିଭାଗର ଟିମ ନିଜ ସାଙ୍ଗରେ ନେଇଥିବା ଖାଦ୍ୟ ସେମାନଙ୍କୁ ଖାଇବାକୁ ଦେଇଥିଲେ । ବହୁ ବୁଝାସୁଝା ପରେ ଗୁମ୍ଫା ବାହାରକୁ ଆସିଥିଲେ ଶିଶୁମାନଙ୍କ ବାପା । ଏହାପରେ ପାନିୟା ସମ୍ପ୍ରଦାୟର ପରିବାରର ସମସ୍ତଙ୍କୁ ଉଦ୍ଧାର କରାଯାଇ ଅଣାଯାଇଥିଲା । ସେମାନଙ୍କୁ ଆଟ୍ଟମାଲା ଅଫିସକୁ ଅଣାଯିବା ପରେ ଶିଶୁମାନଙ୍କୁ ନୂଆ ପୋଷାକ ଓ ଜୋତା ଦିଆଯାଇଥିଲା । ଏବେ ସେମାନେ ସମସ୍ତେ ସୁସ୍ଥ ଅଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ମୃତ୍ୟୁସଂଖ୍ୟା ୩୪୦ରେ ପହଞ୍ଚିଥିବା ବେଳେ ଏବେ ବି ୨୦୦ ଜଣ ନିଖୋଜ ରହିଥିବା ଅଫିସିଆଲ ଭାବେ କୁହାଯାଇଛି । ଏପର୍ଯ୍ୟନ୍ତ ପ୍ରାୟ ସାଢେ ୯ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲାଣି। ୯୧ଟି ରିଲିଫ କ୍ୟାମ୍ପରେ ରଖାଯାଇଛି । ପଥର ଖଣ୍ଡ ତଳୁ ଜୀବନର ସନ୍ଧାନ ବି ଚାଲିଛି । ଏବେ ବି କେହି କେହି ଜୀବନ୍ତ ଉଦ୍ଧାର ହେଉଛନ୍ତି ।