ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନ ଛାଡ଼ିଲେ ପୂର୍ବତନ ସିଏମ୍‌ ଅରବିନ୍ଦ କେଜ୍ରିଓ୍ୱାଲ

ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଛନ୍ତି ଦିଲ୍ଲୀର ପୂର୍ବତନ ସିଏମ୍‌ ତଥା ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ । କିଛି ଦିନ ତଳେ ସୁପ୍ରିମ୍‌କୋର୍ଟରୁ ଜାମିନ ମିଳିବା ପରେ କେଜ୍ରିଓ୍ୱାଲ ତିହାର ଜେଲ୍‌ରୁ ବାହାରିଥିଲେ ଏବଂ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏଏପି ନେତା ଆତିଶୀଙ୍କୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି । ସିଏମ୍‌ ପଦ ଛାଡ଼ିବା ପରେ ଏବେ କେଜ୍ରିଓ୍ୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବି ଖାଲି କରିଦେଇଛନ୍ତି ।

ସିଏମ୍‌ ବାସଭବନ ଖାଲି କରିବାର କେଜ୍ରିଓ୍ୱାଲଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେ ପତ୍ନୀ ସୁନୀତା ଏବଂ ନିଜ ମାଆ, ବାପାଙ୍କ ସହ ବାସଭବନରୁ ବାହାରୁଥିବାର ଦେଖାଯାଉଛନ୍ତି ।

ସୁନୀତା କେଜ୍ରିଓ୍ୱାଲ ସିଏମ୍‌ ବାସଭବନର ଗେଟ୍‌ ଲକ୍‌ କରିଥିଲେ । ଏହାପରେ ଅରବିନ୍ଦ ଓ ସୁନୀତା ସରକାରୀ ବାସଭବନର ସମସ୍ତ କର୍ମଚାରୀଙ୍କୁ ଅଭିବାଦନ କରି ସେଠାରୁ ଚାଲିଯାଇଥିଲେ ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବାସଭବନ ଉତ୍ତର ଦିଲ୍ଲୀର ସିଭିଲ୍‌ ଲାଇନ୍ସରେ ୬ ଫ୍ଲାଗ୍‌ଷ୍ଟାଫ୍‌ ରୋଡ୍‌ରେ ଅବସ୍ଥିତ । ଏଠାରେ ଅରବିନ୍ଦ କେଜ୍ରିଓ୍ୱାଲ ନିଜ ପତ୍ନୀ, ପିଲା ଏବଂ ମାଆ, ବାପାଙ୍କ ସହ ରହୁଥିଲେ । ଏବେ କେଜ୍ରିଓ୍ୱାଲ ପରିବାର ଲୁଟିୟାନ୍ସ ଦିଲ୍ଲୀରେ ବଙ୍ଗଳା ନମ୍ବର ୫କୁ ସିଫ୍ଟ ହୋଇଛନ୍ତି । ଏହି ବଙ୍ଗଳା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟାଳୟ ପାଖରେ ରହିଛି । ୫ ଫିରୋଜଶାହ ରୋଡ୍‌ସ୍ଥିତ ଏହି ବଙ୍ଗଳାକୁ ସରକାରୀ ରୂପେ ପଞ୍ଜାବରୁ ଦଳର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ଆବଣ୍ଟିତ କରାଯାଇଥିଲା ।