SGPCର ବିନା ଅନୁମତିରେ ଚଲାଇବାକୁ ଦେବୁ ନାହିଁ ଫିଲ୍ମ, କଙ୍ଗନାଙ୍କ ‘ଏମରଜେନ୍ସି’କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଦେଖାଦେଇଛି ବିବାଦ । ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଆସିଛି ଏହି ଫିଲ୍ମ । କଂଗ୍ରେସ ସାଂସଦ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି କହିଛନ୍ତି, ଏସ୍‌ଜିପିସି (SGPC)ର ବିନା ଅନୁମତିରେ ଫିଲ୍ମ ଚାଲିବ ନାହିଁ କି ଏହାକୁ ଚଲାଇବାକୁ ଦିଆଯିବ ନାହିଁ । ସେ କହିଛନ୍ତି ଯେ କଙ୍ଗନାଙ୍କୁ ଅଧିକ ସିରିୟସ ହେବାର କୌଣସି ଆବଶ୍ୟକତା ନାହିଁ ।

ଚରଣଜିତ୍‌ ସିଂ ଚନ୍ନି କହିଛନ୍ତି, ପଞ୍ଜାବ, ହରିୟାଣା, ହିମାଚଳ ହେଉଛି ପୁରୁଣା ପଞ୍ଜାବର ଅଂଶ ଏବଂ ସମସ୍ତଙ୍କ ମଧ୍ୟରେ ଭାଇଚାରା ରହିଛି । ପାରସ୍ପରିକ ବନ୍ଧନ କେବେ ଭାଙ୍ଗି ନାହିଁ କି ଏହାକୁ ଭାଙ୍ଗିବାକୁ ଦିଆଯିବ ନାହିଁ । ଏହାକୁ ବଜାୟ ରଖିବାକୁ ପଡ଼ିବ । କୌଣସି ବି ଶକ୍ତି ଏହାକୁ ଭାଙ୍ଗିବାକୁ ଚେଷ୍ଟା କଲେ, ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ ।

ସେ ଆହୁରି କହିଛନ୍ତି ଯେ ଦେଶର ସ୍ୱାଧୀନତା ପରେ ପଞ୍ଜାବ ଇତିହାସରେ ହିନ୍ଦୁ, ମୁସଲମାନ, ଶିଖ୍‌, ଇସାଇ ସମସ୍ତେ ପ୍ରେମର ସହ ଏକାଠି ରହିଆସିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଏଠାରେ ଦଙ୍ଗା ଘଟଣା ଘଟିନାହିଁ । କଙ୍ଗନା ରାଣାଓ୍ୱତଙ୍କୁ ଅଧିକ ସିରିୟସ୍‌ ହେବାର କୌଣସି ଆବଶ୍ୟକ ନାହିଁ । ସିମରନଜିତ୍‌ ସିଂ ମାନ୍‌ଙ୍କ ଭଳି କ୍ରୋଧ କରିବା ଉଚିତ୍‌ ନୁହେଁ ।

ଚନ୍ନି କହିଛନ୍ତି, ଯଦି ସେ ତାଙ୍କ ଫିଲ୍ମ ଚଲାଇବାକୁ ଚାହୁଁଛନ୍ତି, ତା’ ହେଲେ ଏସ୍‌ଜିପିସିକୁ ଫିଲ୍ମ ଦେଖାଇବା ଉଚିତ୍‌ ଏବଂ ଶିଖ୍‌ ଇତିହାସର ଚରିତ୍ରକୁ ସଠିକ୍‌ ଭାବରେ ଦର୍ଶାଇବା ଉଚିତ୍‌ । ଏସ୍‌ଜିପିସି ହିଁ ନିଷ୍ପତ୍ତି ନେବ । ତାଙ୍କ ସାର୍ଟିଫିକେଟ୍‌ ପରେ ହିଁ ଫିଲ୍ମ ଚାଲିପାରିବ । ଏସ୍‌ଜିପିସିର ବିନା ଅନୁମତିରେ ନା ଫିଲ୍ମ ଚାଲିବ ଏବଂ ଏହାକୁ ଚଲାଇବାକୁ ଦିଆଯିବ । ଏସ୍‌ଜିପିସି ହେଉଛି ଶିଖ୍‌ ସମ୍ପ୍ରଦାୟର ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ସଙ୍ଗଠନ । ଏହାର ଅନୁମତି ନେବା ଜରୁରୀ ବୋଲି ଚରଣଜିତ୍‌ ସିଂ ଚନ୍ନି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.