ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଧାନସଭାରେ ଶୋକ ପ୍ରକାଶ କରାଯାଇଛି । ଶୁଭେନ୍ଧୁ ଅଧିକାରୀ ଟ୍ଵିଟ୍ କରି କହିଛନ୍ତି, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଆଉ ନାହାନ୍ତି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ମୁଁ ପ୍ରାର୍ଥନା କରୁଛି କି, ତାଙ୍କ ଆତ୍ମାକୁ ଈଶ୍ୱର ଶାନ୍ତି ଦିଅନ୍ତୁ ।
ତେବେ ବୁଦ୍ଧଦେବଙ୍କ ମୃତ୍ୟୁରେ ଦେଶର ବିଭିନ୍ନ ବରିଷ୍ଠ ରାଜନେତା ଶୋକ ପ୍ରକାଶ କରିଛନ୍ତି । ମଲ୍ଲିକାଜୁର୍ନେ ଖଡଗେ, ହିମନ୍ତ ବିଶ୍ୱଶର୍ମା, ମମତା ବାନାର୍ଜୀ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି ।
ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦକ୍ଷିଣ କୋଲକତାର ବାଲିଗଂଜ ଅଞ୍ଚଳରେ ଏକ ସାଧାରଣ ସରକାରୀ ଆପାର୍ଟମେଣ୍ଟରେ ରହୁଥିଲେ । ସେ କିଛି ଦିନ ଧରି ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ । ତେଣୁ ବାରମ୍ବାର ହସପିଟାଲରେ ଭର୍ତ୍ତି ହେଉଥିଲେ । ଗତବର୍ଷ ନିମୋନିଆରେ ପୀଡିତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।
ସୂଚନାଯୋଗ୍ୟ, ୧୯୪୪ ମସିହା ମାର୍ଚ୍ଚ ପହିଲାରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କୋଲକତାରେ ଜନ୍ମ ଗ୍ରହଣ କରିଥିଲେ । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ନଭେମ୍ବର ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ କାମ କରିଛନ୍ତି । ବରିଷ୍ଠ ବାମପନ୍ଥୀ ନେତା ଏବଂ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଟ୍ଟାଚାର୍ଯ୍ୟ ସିପିଏମର ସଦସ୍ୟ ଥିଲେ । ୨୦୧୧ରେ ମମତା ବାନାର୍ଜୀଙ୍କ ଟିଏମସି ପାର୍ଟି ତାଙ୍କୁ ହରାଇଥିଲା । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପାର୍ଟି ହାରିବା ଯୋଗୁଁ ପଶ୍ଚିମବଙ୍ଗରେ ୩୪ ବର୍ଷର କମ୍ୟୁନିଷ୍ଟ ଶାସନ ସମାପ୍ତ ହୋଇଥିଲା । ସେ ୨୦୧୫ରେ ସିପିଆଇ (ଏମ)ର ପଲିଟି ବ୍ୟୁରୋ ଓ କେନ୍ଦ୍ରୀୟ କମିଟିରୁ ଇସ୍ତଫା ଦେଇଥିଲେ । ଏଥିସହିତ ୨୦୧୮ରେ ସେ ରାଜ୍ୟ ସଚିବାଳୟର ସଦସ୍ୟତା ପଦ ମଧ୍ୟ ଛାଡ଼ିଥିଲେ ।