ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କୁ ଜାମିନ୍, କୋର୍ଟଙ୍କ ନିଷ୍ପତ୍ତି ଶୁଣି କାନ୍ଦି ପକାଇଲେ ପତ୍ନୀ

ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କୁ ଜାମିନ୍ । ମନି ଲଣ୍ଡରିଂ ମାମଲାରେ ଜେଲ୍ରେ ଥିବା ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ଜାମିନ୍ ନିଷ୍ପତ୍ତି ଶୁଣିବା ପରେ କୋର୍ଟରେ ଉପସ୍ଥିତ ଥିବା ସତୈନ୍ଦ୍ର ଜୈନଙ୍କ ପତ୍ନୀ କାନ୍ଦି ପକାଇ ଥିଲେ ।
ରାଉସ୍ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ସତୈନ୍ଦ୍ର ଜୈନ ଦୀର୍ଘ ଦିନ ଧରି କାରାଦଣ୍ଡ ଭୋଗିଛନ୍ତି । ବର୍ତ୍ତମାନ ଶୁଣାଣି ଶେଷ ହେବାର କୌଣସି ସମ୍ଭାବନା ନାହିଁ । ୫୦ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଛି । ତେବେ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇବା ସମୟରେ ତାଙ୍କ ପତ୍ନୀ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ।
କୋର୍ଟ କହିଛନ୍ତି, ମକଦ୍ଦମା ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ନାହିଁ, ଶେଷ ହେବା ଦୂରର କଥା । ସତୈନ୍ଦ୍ର ଜୈନ ଜାମିନ୍ ପାଇବା ଯୋଗ୍ୟ । କୋର୍ଟ ସର୍ତ୍ତ ରଖି କହିଛନ୍ତି କି, ସେ ସାକ୍ଷୀଙ୍କ ସହ ଯୋଗାଯୋଗ କରିବେ ନାହିଁ । ମକଦ୍ଦମାକୁ ପ୍ରଭାବିତ କରିବେ ନାହିଁ ଏବଂ ଭାରତ ବାହାରକୁ ଯାତ୍ରା କରିବେ ନାହିଁ । କୋର୍ଟ ସତୈନ୍ଦ୍ର ଜୈନଙ୍କୁ ୩ଟି ସର୍ତ୍ତରେ ଜାମିନ ଦେଇଛନ୍ତି ।
କୋର୍ଟ ତାଙ୍କୁ ଜାମିନ୍ ଦେବା ପୂର୍ବରୁ ଆମ୍ ଆଦ୍ମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କ ବିଷୟରେ ଉଲ୍ଲେଖ କରିଥିଲେ । କୋର୍ଟ ସିସୋଦିଆଙ୍କ ମାମଲାରେ ସୁପ୍ରିମ୍କୋର୍ଟଙ୍କ ସେହି ନିଷ୍ପତ୍ତିକୁ ଦର୍ଶାଇଥିଲେ, ଯେଉଁଥିରେ ମୌଳିକ ଅଧିକାର ରୂପେ ଶୀଘ୍ର ବିଚାର କରିବାର ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଥିଲା ।
କହି ରଖୁଛୁ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସତୈନ୍ଦ୍ର ଜୈନଙ୍କୁ ୨୦୨୨ ମେ’ ୩୦ରେ ଗିରଫ କରିଥିଲା । ତାଙ୍କ ସହ ଜଡ଼ିତ ୪ଟି କମ୍ପାନୀ ଜରିଆରେ ଅର୍ଥ ହେର୍ଫେର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।